ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୟା ପୂର୍ବରୁ ଆଜି ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ କମିଶନ ଅଧ୍ୟକ୍ଷ । ଏଥିସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର ଅବିଳମ୍ବେ ଗ୍ରହଣ କରି ତାଙ୍କୁ ଚାକିରିରୁ ବିଦା କରିଛନ୍ତି । ସାଢ଼େ ତିନି କୋଟିର ଅସାଧୁ ସମ୍ପତ୍ତି ଅର୍ଜିଥିବା ବିରଞ୍ଚି ଏବେ ଝାରପଡ଼ା ଜେଲ୍ ରେ ବନ୍ଦୀ ଅଛନ୍ତି ।
ତେବେ ତୃତୀୟ ଶ୍ରେଣୀର ଏହି କର୍ମଚାରୀ କିଭଳି କୁବେର ପାଲଟିଲେ ସେହି ରହସ୍ୟରୁ କେବେ ପର୍ଦ୍ଦା ହଟିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ଅଫିସ୍ ରେ ଆଉ କେତେ ବିରଞ୍ଚି ସାହୁ ଅଛନ୍ତି ତାହାର ତଦନ୍ତ କରିବାକୁ ସବୁ ମହଲରୁ ଦାବି ହେଉଛି । ଖାଲି ବିରଞ୍ଚି ନୁହଁନ୍ତି, ତାଙ୍କ ଆଗପଛରେ ଏଭଳି ଅନେକ ଅଛନ୍ତି ବୋଲି କୁହାଯାଉଛି ।
ସାଂଘାତିକ କଥା ହେଉଛି, ଚାକିରି ଆଶାୟୀଙ୍କଠାରୁ ବିରଞ୍ଚି ମୋଟା ଅଙ୍କର ଟଙ୍କା ଆଦାୟ କରିଥିବାର ଗୋଟି ଗୋଟି ଅଭିଯୋଗ ଆସିଲାଣି । ଚାକିରି କରାଇ ଦେବାକୁ କହି ସେ ଜଣ ପିଛା ୫ ରୁ ୧୦ ଲକ୍ଷ ଟଙ୍କା ଆଦାୟ କରୁଥିବା କିଛି ଆଶାୟୀ ଅଭିଯୋଗ କରିଛନ୍ତି ।
ଅଜୟ ପଣ୍ଡା ନାମକ ଜଣେ ଚାକିରି ଆଶାୟୀ ବିରଞ୍ଚି ସାହୁଙ୍କ ଜାଲରେ ପଡ଼ିଥିବା ଆଜି ଗଣମାଧ୍ୟମରେ କହିଛନ୍ତି । ତାଙ୍କର କହିବା କଥା, ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷାରେ ପାସ୍ କରାଇଦେବା ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ଟଙ୍କା ମାଗିଥିଲେ ପିଏସ୍ ବିରଞ୍ଚି ସାହୁ । ଏକଥା ଘରେ କହିବାରୁ ତାଙ୍କ ବାପା ଜମି ବିକି ପଇସା ଦେବାକୁ ପ୍ରସ୍ତୁତ ହୋଇଥିଲେ । ସୋ÷ଭାଗ୍ୟକୁ ଷ୍ଟାଫ୍ ସିଲେକ୍ସନ୍ କମିଶନ ପକ୍ଷରୁ କୋ÷ଣସି ପରୀକ୍ଷା ବାହାରି ନ ଥିବାରୁ ସେ ପଇସା ଦେଇ ନ ଥିଲେ । ତେବେ ଚାକିରି କରାଇ ଦେବାର ଲୋଭ ଦେଖାଇଥିବା ବିରଞ୍ଚି ତାଙ୍କୁ ବିଭିନ୍ନ ସମୟରେ ଶୋଷଣ କରୁଥିଲେ । କେତେବେଳେ ତାଙ୍କ ପତ୍ନୀଙ୍କ ପାଇଁ କନ୍ଧମାଳ ହଳଦୀ ମଗାଉଥିଲେ ତ ଆଉ କେତେବେଳେ ନିଜ କିଆରୀର ବିରି ଦେବାକୁ ପଡୁଥିଲା ।
ଅଜୟଙ୍କ ଭଳି ଆଉ କେତେ ଜଣ ବିରଞ୍ଚିଙ୍କ ଜାଲରେ ପଡ଼ିଛନ୍ତି ତାହା ତଦନ୍ତରୁ ସ୍ପଷ୍ଟ ହେବ । ଇତିମଧ୍ୟରେ ବିରଞ୍ଚିଙ୍କ ଘରୁ ଜବତ ହୋଇଥିବା ପ୍ରାୟ ୫୦ ଟି ଆଡମିଟ୍ କାର୍ଡର ଖୋଳତାଡ଼ କରୁଛି ଭିଜିଲାନସ୍ ଟିମ୍ । ଯେଉଁମାନଙ୍କର ଏହି କାର୍ଡ ସେମାନଙ୍କୁ ଜଣ ଜଣ ଡାକି ପଚରାଉଚୁରା କରିବାକୁ ଯୋଜନା ହୋଇଥିବା ଜଣେ ଭିଜିଲାନସ୍ ଅଧିକାରୀ କହିଛନ୍ତି । ବିରଞ୍ଚିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ର ଉତ୍ସ ଖୁବ୍ ଶୀଘ୍ର ପଦାକୁ ଆସିବ ବୋଲି ସେ କହିଛନ୍ତି ।
ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଘୋଟାଲା ଏବଂ ଅନିୟମତାକୁ ନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ଷ୍ଟାଫ୍ ସିଲେକ୍ସନ୍ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉତ୍ତ୍ୟକ୍ତ ଯୁବ କଂଗ୍ରେସ କର୍ମୀମାନେ ଅଫିସ୍ ଭିତରକୁ ପଶିବାକୁ ଉଦ୍ୟମ କଲାବେଳେ ପୁଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ।
ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଆନ୍ଦୋଳନ ଡାକରା ଦିଆଯାଇଛି ।