ଭୁବନେଶ୍ୱର: ବର୍ଷୀୟାନ୍ ନେତା ତଥା ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ’ ଆଉ ନାହାନ୍ତି । ଆମ୍ରି ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସଂଧ୍ୟା ୭.୨୦ ରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୭୬ ବର୍ଷ ହୋଇଥିଲା । ଏହି ଭେଟେରାନ୍ ନେତାଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ଗତମାସରେ ଶ୍ରୀ ଦେ’ ଥଣ୍ଡା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବାରୁ ଜୁଲାଇ ୯ ତାରିଖରେ ଭୁବନେଶ୍ୱର ଅଣାଯାଇଥିଲା । କୋଭିଡ୍ ରୁ ସେ ସୁସ୍ଥ ହୋଇଥିଲେ ମଧ୍ୟ କୋଭିଡ୍ ପରବର୍ତ୍ତୀ ଜଟିଳତା ଯୋଗୁଁ ତାଙ୍କ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା ।
ବାଲେଶ୍ୱର ସଦର ଆସନରୁ ୫ ଥର ବିଧାୟକ ହୋଇଥିଲେ ଶ୍ରୀ ଦେ’ । ସେଥିମଧ୍ୟରୁ ତିନି ଥର ସିପିଆଇ ଟିକେଟରେ ଜିତିଥିଲେ । ଥରେ ସ୍ୱାଧୀନ ପ୍ରାର୍ଥୀ ଲଢ଼ି ଜିତିଥିଲା ବେଳେ ଆଉ ଥରେ ଓଡ଼ିଶା ଗଣ ପରିଷଦ ପ୍ରାର୍ଥୀ ହୋଇ ଜିତିଥିଲେ । ଶେଷଥର ପାଇଁ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ିଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କଠାରୁ ସେ ବହୁ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଗତ ବାଲେଶ୍ୱର ଉପନିର୍ବାଚନ ବେଳେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ।
ଅରୁଣ ଦେ’ ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତାମାନେ ଶ୍ରୀ ଦେ’ ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।