ଭୁବନେଶ୍ୱର: ବାତ୍ୟା ହେବ । କିନ୍ତୁ ତାହା ଓଡ଼ିଶା କି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବନି । ସମୁଦ୍ର ଉପରେ ଚାଲିଯାଇ ଦୁର୍ବଳ ହୋଇଯିବ । ଓଡ଼ିଶା ଉପରେ ବାତ୍ୟାର ସେତେଟା ପ୍ରଭାବ ପଡ଼ି ନପାରେ । ଉପକୂଳବର୍ତ୍ତୀ ୪/୫ ଟି ଜିଲ୍ଲାରେ କେବଳ ମଧ୍ୟମ ଧରଣର ପବନ ଏବଂ ବର୍ଷା ହେବାର ସମ୍ଭାବନା ରହିଛି ।
ଏ ହେଉଛି ପାଣିପାଗ ବିଭାଗର ଆକଳନ ।
ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଲଘୁଚାପ ଆଜି ଅବପାତର ରୂପ ନେଇଛି । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ତାହାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୦ ତାରିଖରେ ଏହି ସାଇକ୍ଲୋନିକ୍ ଷ୍ଟ୍ରର୍ମ ରୂପ ନେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ନିକଟସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅର୍ଥାତ୍ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ରରେ କେନ୍ଦ୍ରୀଭୂତ ହେବ ।
୧୦ ତାରିଖ ରାତି ବେଳକୁ ଏହାର ଦିଗରେ ପରିବର୍ତ୍ତନ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି ନ କରି ଅର୍ଥାତ ଉପକୂଳ ଆଡ଼କୁ ନ ମୁହାଁଇ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବ ନାହିଁ । ଓଡ଼ିଶା ହେଉ କି ଆନ୍ଧ୍ର, କେଉଁଠି ଲ୍ୟାଣ୍ଡଫଲ୍ କରିବନି । ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଉପକୂଳ ଦେଇ ଚାଲିଯିବ ।
ଏହାର ପ୍ରଭାବରେ ୯ ତାରିଖରୁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବଢ଼ିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ୧୦ ତାରିଖ ସଂଧ୍ୟା ପରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । କିଛି ଜାଗାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଓଡ଼ିଶା ଉପକୂଳ ନିକଟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ । ଅତି ବେଶୀରେ ୬୦ କିମି ହୋଇପାରେ । ୧୧ ତାରିଖ ବେଳକୁ ଏହା ବଢ଼ିପାରେ । ତାହାପରେ ଧୀରେ ଧୀରେ କମିଯିବ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏସଆରସି ମଧ୍ୟ ଓଡ଼ିଶାବାସୀଙ୍କୁ ଏହି ସୂଚନା ଦେଇଛନ୍ତି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ବର୍ତ୍ତମାନ ୧୨୫୦ କିମି ଦୂରରେ ଅବପାତ ରୂପରେ ବାତ୍ୟା ରହିଛି । ୧୦ ତାରିଖରେ ଏହା ଡାହାଣକୁ ମୋଡ଼ି ହୋଇ ଗତି କରିବ । ଉପକୂଳର ଯଥେଷ୍ଟ ଦୂରରେ ଗତି କରିବାର ସମ୍ଭାବନା ଥିବାରୁ ବାତ୍ୟାର ସେତେଟା ପ୍ରଭାବ ଅନୁଭୂତ ହୋଇ ନପାରେ । ତଥାପି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି ।