ଭୁବନେଶ୍ୱର: ସାଧାରଣ ଜନତାଙ୍କ ଉପରେ ଚଡ଼କ ପରେ ଚଡ଼କ । ୧୪.୨ କେଜିଆ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ବର୍ତ୍ତମାନ ଗୋଟିଏ ସିଲିଣ୍ଡର ଦାମ ୯୯୯.୫୦ ପଇସା ହୋଇଥିବା ବେଳେ ଭୁବନେଶ୍ୱରରେ ଏହାର ଦାମ୍ ହଜାର ଟଙ୍କା ପାର୍ ହୋଇଛି । ଗୋଟିଏ ଏଲପିଜି ସିଲିଣ୍ଡର ପାଇଁ ୧୦୨୬ ଟଙ୍କା ଗଣିବାକୁ ପଡିବ । ଏହାପୂର୍ବରୁ ଗତ ମାର୍ଚ୍ଚ ୨୨ ତାରିଖରେ ରନ୍ଧନ ଗ୍ୟାସ୍ ଦର ମଧ୍ୟ ୫୦ ଟଙ୍କା ବଢ଼ିଥିଲା ।
ଗତ ସପ୍ତାହ ମେ’ ୧ ତାରିଖରେ ୧୯ କେଜିଆ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ୧୦୨ ଟଙ୍କା ବଢ଼ିଥିଲା । ଦିଲ୍ଲୀରେ ଗୋଟିଏ ସିଲିଣ୍ଡର ପାଇଁ ୨, ୩୫୫ ଟଙ୍କା ଗଣିବାକୁ ପଡୁଛି ।
ଦୁଇବର୍ଷ ତଳେ ୧୪.୨ କେଜିଆ ଏଲପିଜି ସିଲିଣ୍ଡର ଦାମ୍ ଥିଲା ଦର ୫୮୧ ଟଙ୍କା । ଯାହା ଏବେ ଦୁଇଗୁଣା ହୋଇଛି । ଗତ ବର୍ଷକରେ ଦର ପ୍ରାୟ ୨୦୦ ଟଙ୍କା ବଢ଼ିଛି । ସେହିଭଳି କମର୍ସିଆଲ୍ ସିଲିଣ୍ଡର ଦର ଦୁଇବର୍ଷ ତଳେ ୧୪୩୩ ଟଙ୍କା ଥିଲା ଯାହା ଏବେ ହଜାରେ ଟଙ୍କା ବଢ଼ିଛି ।
ପେଟ୍ରୋଲ ଓ ଡିଜେଲ୍ ର ଅହେତୁକ ଦରବୃଦ୍ଧି ପରେ ରନ୍ଧନ ଗ୍ୟାସ ଦରବୃଦ୍ଧି ସାଧାରଣ ଜନତାଙ୍କ ପେଟକୁ ଲାତ ହୋଇଛି । ଆଶ୍ଚର୍ଯ୍ୟର କଥା ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବିରୋଧୀ ରାଜନୈତିକ ଦଳ ମଧ୍ୟରେ ସେଭଳି ପ୍ରତିକ୍ରିୟା ସୃଷ୍ଟି କରିନାହିଁ ଯେଭଳି କରିବା କଥା । ଉପା ସରକାର ସମୟରେ ସିଲିଣ୍ଡର ଦର ୫୦ ଟଙ୍କା ବଢ଼ି ୪୦୦ ଟଙ୍କା ହେଲା ବେଳେ ବିଜେପି ତାହାକୁ ଲଜ୍ଜା କହି ତମ୍ବିତୋଫାନ କରୁଥିଲା । ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଚୋର କହିବାକୁ ନେତାମାନେ ପଛଉ ନ ଥିଲେ । ମାତ୍ର ଏବେ ନିଜେ ଶାସନଗାଦିରେ ଥିବାରୁ ତେଲ ଓ ଗ୍ୟାସ୍ ଦର ବୃଦ୍ଧି ବେଳକୁ ଦଳ ସିଦ୍ଧ ଘୋଷଣା କରିବାକୁ ଲଜ୍ଜା ଅନୁଭବ କରୁନାହିଁ । ତାହା ଠିକ୍ ନିଷ୍ପତ୍ତି ବୋଲି ନେତାମାନେ ଅଜବ ଯୁକ୍ତି କରୁଛନ୍ତି ।
ତେଲ ଓ ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ବିଜେଡ଼ିଠାରେ ମଧ୍ୟ ପୂର୍ବର ଦାଢ଼ ନ ଥିବା ଜଣାପଡୁଛି । ପେଟ୍ରୋଲ ଓ ଡିଜେଲ ଦର ୧୧୦ ଟଙ୍କା ଏବଂ ରନ୍ଧନ ଗ୍ୟାସ ଦର ହଜାରେ ଟପିବା ପରେ ମଧ୍ୟ ବିଜେଡ଼ି ପାଇଁ ଏହା ମୁଖ୍ୟ ପ୍ରସଙ୍ଗ ହୋଇନାହିଁ । ଆନେ୍ଦାଳନ ଫାନ୍ଦୋଳନ କିଛି ନାହିଁ । ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଏହାକୁ ନିନ୍ଦା କରି ଟିଭିରେ ବୟାନ ଦେଇଥିଲା ବେଳେ ଖରା କମିଲା ପରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକଙ୍କୁ କୁଆଡ଼େ କହିଥିଲେ ।
କଂଗ୍ରେସ ଏବଂ ବାମପନ୍ଥୀ ଦଳ କଥା ନ କହିବା ଭଲ । ଏଠି ସେମାନଙ୍କ ନିଜ ସ୍ଥିତି ଠିକ୍ ନ ଥିବାରୁ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ସେମାନେ ଯେ ଆନ୍ଦୋଳନକୁ ଓହ୍ଲାଇବେ ତାହା ଆଶା କରିବା ବୃଥା । ସୁତରାଂ ଏଠି ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ କହିବାକୁ କେହି ନାହାନ୍ତି । ନିଜ ଭାଗ୍ୟକୁ ଆଦରି ବଞ୍ଚିବା କଥା ।
ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ତୀବ୍ର ପ୍ରତିକ୍ରିୟା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର କେଦାର ମିଶ୍ର ଲେଖିଛନ୍ତି, ୮ ବର୍ଷ ତଳେ ୪୦୦ ଟଙ୍କାର ସିଲିଣ୍ଡର କିଣିଲା ବେଳେ ସେତେବେଳର ପ୍ରଧାନମନ୍ତ୍ରୀଙ୍କୁ ଚୋର ବୋଲି କହି ଗାଳି କରୁଥିବା ମଧ୍ୟବିତ୍ତ ଭାରତୀୟମାନେ ଏବେ ନିଜେ ମୁହଁ ଲୁଚେଇ କାନ୍ଦୁଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ନରେନ୍ଦ୍ର ମୋଦି ସବୁଠାରୁ ଭାଗ୍ୟବାନ ପ୍ରଧାନମନ୍ତ୍ରୀ । ତାଙ୍କ ପୂର୍ବରୁ ସବୁ ପ୍ରଧାନମନ୍ତ୍ରୀ ଦରଦାମ ବୃଦ୍ଧିକୁ ନେଇ ପ୍ରବଳ ଜନ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ନଡ଼ିଆ ତେଲ ପାଇଁ ଇନ୍ଦିରା ଗାନ୍ଧୀ ସରକାର ଓ ପିଆଜ ଦର ପାଇଁ ବାଜପେୟୀଙ୍କ ସରକାର ଚାଲି ଯାଇଥିଲା । ମୋଦି କିନ୍ତୁ ଦରବୃଦ୍ଧିର ବଡ଼ବାପା ହୋଇଥିଲେ ମଧ୍ୟ ବଡ଼ ସହଜରେ ଆମେ ରହିଛୁ ବୋଲି ତାଙ୍କର କ୍ଷୋଭ ।
ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଉଦବେଗ ପ୍ରକାଶ କରି ଲେଖିଛନ୍ତି ଯେ ଜାଳେଣି ଗ୍ୟାସ ଦର ବୃଦ୍ଧି ଯଥାର୍ଥ । କଥାକଥାକେ ରାଜରାସ୍ତାକୁ ଆସି ଯାଉଥିବା ବିଜେଡ଼ି, ବିଜେପି, କଂଗ୍ରେସ ଓ ଅନ୍ୟଦଳମାନେ ନହେଲେ କ’ଣ ଚୁପ୍ ବସିଥାନ୍ତେ!! ବିରୋଧୀ ଦଳ କଥା ଛାଡନ୍ତୁ, ଲୋକଙ୍କୁ ମଧ୍ୟ ଏହା ବୋଧହୁଏ ବାଧୁନାହିଁ । ତେଣୁ କାହାରି ପ୍ରତିବାଦ ନାହିଁ ।