ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ପୂର୍ବତନ ବିଧାୟିକା ରାଧାରାଣୀଙ୍କ ସହ ଯୁବନେତା ସୁଜିତ ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । ଦଳର ଏକ ଶକ୍ତିଶାଳୀ ଗୋଷ୍ଠୀ ନବାଗତ ସୁଜିତଙ୍କ ପାଇଁ ଜୋରଦାର ଲବି କରୁଥିଲେ । ମାତ୍ର ରାଜ୍ୟ ନେତୃତ୍ୱ ରିସ୍କ ନେବାକୁ ଚାହିଁନାହାନ୍ତି । ରାଧାରାଣୀଙ୍କ ନାଁ ଉପରେ କେନ୍ଦ୍ରୀୟ କମିଟି ମୋହର ମାରିଛନ୍ତି ।
୨୦୧୪ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇ ଜିତିଥିଲେ । ବିଜେଡ଼ି ପ୍ରାର୍ଥୀ ଅନୁପ ସାଏଙ୍କୁ ୬, ୭୯୦ ଭୋଟରେ ପରାସ୍ତ କରିଥିଲେ । ଗତ ନିର୍ବାଚନରେ ରାଧାରାଣୀ ପୁନଶ୍ଚ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପ୍ରାୟ ୧୨ ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ରାଧାରାଣୀ ବିଜେଡ଼ିରେ ମିଶୁଥିବା ନେଇ ମଝିରେ ବହୁତ ଚର୍ଚ୍ଚା ହୋଇଥିଲା ।
ସେଠାରେ କଂଗ୍ରେସରୁ କିଶୋର ପଟେଲଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଦଳୀୟ ମହଲରୁ ସୂଚନା ମିଳିଛି । ବିଧାୟକ ସନ୍ତୋଷ ସିଂ ସାଲୁଜା ଗତକାଲି ତାଙ୍କ ନାଁ ସ୍ପଷ୍ଟ କରିଛନ୍ତି । ଦଳର ନିର୍ବାଚନ କମିଟି କିଶୋର ପଟେଲଙ୍କ ନାଁ ସୁପାରିଶ କରିଛନ୍ତି ଏବଂ ଏଆଇସିସି ପକ୍ଷରୁ ଔପଚାରିକ ଘୋଷଣା ବାକି ଅଛି ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ସମସ୍ତଙ୍କ ନଜର ଏବେ ବିଜେଡ଼ି ପ୍ରାର୍ଥୀଙ୍କ ଉପରେ ରହିଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିବେ । ଉପନିର୍ବାଚନରେ ମୃତ ବିଧାୟକଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାର ପରମ୍ପରା ବିଜେଡ଼ି ଆପଣେଇଥିବାରୁ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଝିଅକୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ବି ଚର୍ଚ୍ଚା ହେଉଛି । ତେଣୁ ନବୀନ ନିବାସର ଘୋଷଣାକୁ ଏବେ ସମସ୍ତଙ୍କର ଅପେକ୍ଷା ।
କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଯୋଗୁଁ ବ୍ରଜରାଜନଗର ଉପନିର୍ବାଚନ ହେଉଛି । ମେ’ ୩୧ ତାରିଖରେ ଭୋଟ ଏବଂ ଜୁନ୍ ୩ ତାରିଖରେ ଗଣତି ହେବ । ମେ’ ୧୧ ତାରିଖ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ।