ଭୁୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ସତ । ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ବିପଦ । ଆସନ୍ତା ୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ୩ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସବୁସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଲରୁ ଧାନ ଅମଳ କରି ଆଣିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଏବଂ ନିକଟସ୍ଥ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ପହଞ୍ଚିବ । ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ତାରିଖରେ ଅବପାତରେ ପରିଣତ ହେବ । ୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତ ର ଆନ୍ଧ୍ର ଉପକୂଳରେ ପହଞ୍ଚିବ ।
ଉପକୂଳରେ ପହଞ୍ଚିବା ପରେ ଏହା ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ । କ୍ରମଶଃ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରିବ । ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶାରେ ବେଶୀ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡ଼ି ଡିଜି ।
ଏଥିଯୋଗୁଁ ୩ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ୩ ତାରିଖ ସଂଧ୍ୟାରେ ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ୪ ତାରିଖରେ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୫୦ ରୁ ୬୦ କିମି ରହିବ । ୫ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି । ମାଛ ଧରିବାକୁ ଯାଇଥିବା ଧୀବରମାନେ ଆଜି ସଂଧ୍ୟା ପୂର୍ବରୁ ଫେରି ଆସିବାକୁ କୁହାଯାଇଛି ।
ଲଘୁଚାପ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି । ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ସତର୍କ କରିଛନ୍ତି । ଜିଲ୍ଲାପାଳମାନେ ସଜାଗ ରହିବାକୁ ଏସଆରସିଙ୍କ ପକ୍ଷରୁ ନିଦେ୍ର୍ଦଶନାମା ଜାରି ହୋଇଛି । ଚାଷୀମାନେ ବିଲରୁ ଧାନ କାଟି ଆଣି ସୁରକ୍ଷିତ ଜାଗାରେ ରଖିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଓ ସମସ୍ତ ପ୍ରସ୍ତୁତି ସାରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।