ଭୁୁବନେଶ୍ୱର: ଭୁବନେଶ୍ୱରର ବିଜେପି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ନିଜର ପତିଆରା ବୃଦ୍ଧି ପାଇଁ ରାଜ୍ୟ ପରିକ୍ରମା କରୁଥିବା ବେଳେ ଦଳୀୟ ନେତୃତ୍ୱ ତାଙ୍କୁ କିନ୍ତୁ ପାସଙ୍ଗରେ ନେଇନାହାନ୍ତି । ଦଳୀୟ ନୀତି ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ କମିଟିରେ ତାଙ୍କୁ ସ୍ଥାନ ଦିଆଯାଇନାହିଁ । ଦଳର ୧୫ ଜଣିଆ କୋର୍ କମିଟି ଆଜି ପ୍ରଥମ ଥର ପାଇଁ ଘୋଷଣା କରାଯାଇଛି । କମିଟିରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪ ଜଣ ସାଂସଦ ଏପରିକି ଅନ୍ୟତମ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ସ୍ଥାନ ମିଳିଛି । ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନକ୍ରମେ ଆଜି ଏହି ତାଲିକା ପ୍ରକାଶ ପାଇଛି ।
ବିଜେପି କୋର କମିଟିରେ ଅଛନ୍ତି- ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ୍ ଓରାମ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସାଂସଦ ସୁରେଶ ପୂଜାରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି ଏବଂ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀମତୀ ସୁରମା ପାଢ଼ୀ ।
କୋର୍ କମିଟିରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ବିଜୟପାଲ ସିଂହ ତୋମାର ଅଛନ୍ତି ।