ଭୁବନେଶ୍ୱର: ମାନବ ଜଗତ ଉପରେ ସତେ ଯେମିତି ପଡ଼ିଛି ପ୍ରକୃତିର ଭୟଙ୍କର କୋପ । ଦେଶବାସୀ କରୋନା ଭୂତାଣୁ କବଳରେ ଛଟପଟ ହେଉଥିଲା ବେଳେ ଦୁଇଦିନ ତଳେ ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତାଉତେ’ ବ୍ୟାପକ ଧ୍ୱସ୍ତ ବିଧ୍ୱସ୍ତ କଲା । ଦୁଇ ଦିନ ଯାଇନି, ବଙ୍ଗୋପ ସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା ‘ୟଶ’ । କେହି କେହି ଏହାକୁ ମହାବାତ୍ୟାର ଆଖ୍ୟା ଦେଲେଣି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ ତାଣ୍ଡବ ରଚାଇବ ବୋଲି ଆଶଙ୍କା କରାଯାଉଛି ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏହି ବାତ୍ୟା । ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିପାରେ ।
ବାଲେଶ୍ୱର ଆଖପାଖ ନଚେତ ବାଲେଶ୍ୱର ଓ ଦୀଘା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି କିଛି ବିଶେଷଜ୍ଞ ପୂର୍ବାନୁମାନ କରୁଥିଲା ବେଳେ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏହାର ତୀବ୍ରତା କେତେ ହେବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଯାଇ ଆକଳନ କରାଯାଇପାରିବ ବୋଲି ଆଇଏମଡି ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ।
୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶାର ଉପକୂଳ ମଧ୍ୟକୁ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟାକୁ ବଳ ଦେବା ପାଇଁ ବାୟୁମଣ୍ଡଳୀୟ ସ୍ଥିତି ବର୍ତ୍ତମାନ ଯଥେଷ୍ଟ ଅନୁକୂଳ ଥିବାରୁ ଏହା ଭୟଙ୍କର ବିପଦ ଆଣିପାରେ ବୋଲି କୁହାଯାଉଛି ।
୧୦ ଜିଲ୍ଲାପାଳ,ଏସପିଙ୍କ ସହ ବୈଠକ କଲେ ଏସଆରସି: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଲୋକସେବା ଭବନରେ ବସି ମାରାଥନ ବୈଠକ କରିଛନ୍ତି । ୧୦ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହିତ କଥା ହୋଇ କୋଭିଡ କଟକଣା ଭିତରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପଦାଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ ଉପରେ ଏସଆରସି ଗୁରୁତ୍ୱ ଦେଇଥିଲା ବେଳେ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ପ୍ରସ୍ତୁତି ସହ ଖାଦ୍ୟ ସାମଗ୍ରୀ, ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡ୍ରାଫ୍, ଅଗ୍ନିଶମ ବିଭାଗକୁ ସମ୍ପୂର୍ଣ୍ଣ ସଜାଗ କରିଛନ୍ତି ଏସଆରସି ଶ୍ରୀ ଜେନା ।