ଭୁବନେଶ୍ୱର: ବାପାଙ୍କ ଏକାଦଶାହରେ ପୁଅ ଚାଲିଗଲେ ଆରପାରିକୁ । ଦିବଙ୍ଗତ ଭାସ୍କର୍ଯ୍ୟ ଜଗତର ଭୀଷ୍ମ ପିତାମହ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପୁଅ ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ର(୪୮)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ଏମସ୍ ହସ୍ପିଟାଲ୍ ରେ ମୃତ୍ୟୁ ହୋଇଛି । କୋଭିଡ୍ ଆକ୍ରାନ୍ତରୁ ମୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ଆଜି ସକାଳ ୭ଟା ୫୧ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଏମସ୍ ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ବାପାଙ୍କ ପଛେ ପଛେ ପୁଅର ଏଭଳି ମୃତ୍ୟୁ ସମସ୍ତଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି । ଓଡ଼ିଶାର ଏହି କ୍ରିକେଟ୍ ତାରକାଙ୍କ ବିୟୋଗ କ୍ରିକେଟ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ବାପାଙ୍କ ସହ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲା ପରେ ଗତ ୨୧ ତାରିଖରେ ପ୍ରଶାନ୍ତ ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । କିଛି ଦିନ ତଳେ ତାଙ୍କ ଅବସ୍ଥାରେ ସୁଧାର ଆସିବା ସହ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ତାଙ୍କର ଚିକିତ୍ସା ଜାରି ଥିବା ବେଳେ ପୁଣି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ବୋଲି କୁହାଯାଇଛି ।
ରଘୁନାଥ ମହାପାତ୍ରଙ୍କର ଗତ ୯ ତାରିଖରେ ଏମସ୍ ହସ୍ପିଟାଲ୍ ରେ ପରଲୋକ ହୋଇଥିଲା । ପ୍ରଶାନ୍ତ ତାଙ୍କର ସାନପୁଅ । ବଡ଼ପୁଅ ଯଶୋବନ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମସ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଅଛି ।
ଓଡ଼ିଶା ରଣଜୀ ଦଳର ପୂର୍ବତନ ଖେଳାଳୀ ପ୍ରଶାନ୍ତ ମହାପାତ୍ର ଜଣେ ଦକ୍ଷ କ୍ରିକେଟିୟର ଭାବେ ବେଶ୍ ଜଣାଶୁଣା ଥିଲେ । ଓଡ଼ିଶା ରଣଜୀର ସେ ଥିଲେ ଓପନିଂ ବ୍ୟାଟସମ୍ୟାନ୍ । କ୍ରିକେଟ୍ ପଡ଼ିଆରେ ସେ ଯେଭଳି ଶୃଙ୍ଖଳିତ ଥିଲେ, ବାସ୍ତବ ଜୀବନରେ ମଧ୍ୟ ସେଭଳି ଶୃଙ୍ଖଳିତ, ଭଦ୍ର, ଅମାୟିକ ଓ ବନ୍ଧୁବତ୍ସଳ ଥିଲେ ।