ଭୁବନେଶ୍ୱର: ରାଜ୍ୟରେ କରୋନାର ଭୟଙ୍କର ପରିସ୍ଥିତି ବେଳେ ବିଭିନ୍ନ ବ୍ଲଡବ୍ୟାଙ୍କରେ ରକ୍ତର ଅଭାବ ଦେଖାଦେଇଛି । ଏହି ଅଭାବ ଦୂର ପାଇଁ ଓଡ଼ିଶା-ମୋ ପରିବାର ଯୁଦ୍ଧକାଳୀନ ଅଭିଯାନ ଆରମ୍ଭ କରିଛି । ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁ ଜିଲ୍ଲା ସଂଯୋଜକମାନଙ୍କୁ ଅଧିକ କ୍ରିୟାଶୀଳ କରାଯାଇଛି ।
ଆଜି ସଂଧ୍ୟାରେ ଭର୍ଚୁଆଲ୍ ଯୋଗେ ୩୦ ଜିଲ୍ଲା ଓଡ଼ିଶା-ମୋ ପରିବାର ସଂଯୋଜକମାନଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ଅତନୁ ସବ୍ୟସାଚୀ ନାୟକ ବୈଠକରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି କୋଭିଡ୍ ପରିସ୍ଥିତିରେ ଲୋକଙ୍କ ସମସ୍ୟା ସମାଧାନରେ ଛିଡ଼ା ହେବାକୁ ଆହ୍ୱାନ ଦେଇଥିଲେ ।
ବିଜୁ ଯୁବ ଜନତା ଦଳ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସମଗ୍ର ରାଜ୍ୟରେ କ୍ଷୁଦ୍ର ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଥିଲେ । ବିଜୁ ମହିଳା ଦଳ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲା ସଂଯୋଜକମାନଙ୍କ ସହିତ ଯୋଗାଯୋଗ କରି ଏହି କାର୍ଯ୍ୟକ୍ରମ ଜୋରଦାର କରାଯିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପର୍ଣ କରିଥିଲେ ।
ସୂଚନାଯୋଗ୍ୟ, ସପ୍ତାହବ୍ୟାପୀ ଚାଲିଥିବା ରକ୍ତଦାନ ଶିବିରର ଆଜି ତୃତୀୟ ଦିନରେ ୧୨୬ ୟୁନିଟ୍ ରକ୍ତ ସହ ସମୁଦାୟ ୪୭୯ ୟୁନିଟ୍ ରକ୍ତ ସଂଗ୍ରହ ହେଲାଣି ।







