ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ପୁରାତନ ଛାତ୍ର ପରିଷଦର ବୈଠକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବେଦପାଠ ଓଡିଏଭିଗାନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଛାତ୍ର ପରିଷଦର ସଭାପତି ଡକ୍ଟର କାଳୀପ୍ରସାଦ ରଥ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀଙ୍କୁ ବହୁ ସଂଖ୍ୟାରେ ପରିଷଦ ସହିତ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ। ପୁରାତନ ଛାତ୍ରସଂଘର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ ୨୦୨୬ରେ ପାଳନ ହେବାକୁ ଥିବା ଏହି ପରିଷଦର ରଜତ ଜୟନ୍ତୀ ଉତ୍ସବ ଛାତ୍ର ଓ ଯୁବଶକ୍ତି ପାଇଁ ହେଉ ଅପୂର୍ବ ମହମିଳନର ପର୍ବ। ଜାତୀୟ ସ୍ତରରେ ଆଜି ବିଦ୍ୟାଳୟ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇ ପାରିବା କଥା ତୁମ ପାଇଁ ଗୌରବର ବିଷୟ। ଦେଶ ଓ ସମାଜ ଗଠନରେ ନିଜକୁ ନିୟୋଜିତ କରି ନିଜ ତଥା ବିଦ୍ୟାଳୟ ପାଇଁ ନୂଆ କୀର୍ତ୍ତି ସୃଷ୍ଟି କରିବାକୁ ସେ ପୁରାତନ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।
ପୁରାତନ ଛାତ୍ରସଂଘର ଉପସଭାପତି ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ୨୦୧୦ରୁ୨୦୨୩ ପର୍ୟ୍ୟନ୍ତ ପ୍ରତିବର୍ଷ ପାଇଁ ଜଣେ ଲେଖାଏଁ ଛାତ୍ର ପରିଷଦର ସଂଯୋଜକ ପ୍ରତିନିଧି ଦାୟିତ୍ଵ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ଜୁନିଅର୍ ୨ ର ବିଜୟିନୀ ଅନନ୍ୟା ଶ୍ରୀତମ ନନ୍ଦ , ଇଣ୍ଡିଆନ ଆଇଡଲ–ଜୁନିଅର୍ ୧୩ ରେ ଶୀର୍ଷ ସୋପାନରେ ଉପନୀତ ଚାଳିଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ରାଜୀବ ଲୋଚନ ଦାଶ , ଓଡ଼ିଆ ସାରେଗାମା ପାର ବିଜୟିନୀ ତନୁଶ୍ରୀ ଜେନାଙ୍କ ପରି ଅନେକ ଖ୍ୟାତନାମା କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ହୃଦୟସ୍ପର୍ଶୀ ସଙ୍ଗୀତ ପରିବେଷିତ ହୋଇଥିଲା। ପରିଶେଷରେ ଅଧିକାଂଶ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମନ୍ୱିତ ନୃତ୍ୟାଭିନୟ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।