ଭୁବନେଶ୍ୱର: ଭାରତବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ତମ ପବିତ୍ର ଶ୍ରାଦ୍ଧ ଦିବସ ଆଜି ରାଜ୍ୟବ୍ୟାପୀ ପାଳିତ ହୋଇଥିଲା ।
ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟକ ସର୍ବଶ୍ରୀ ପ୍ରଫୁଲ୍ଲ ସାମଲ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ପ୍ରମୁଖ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବିଜୁ ବାବୁ ଥିଲେ ଜଣେ ଉତ୍ତଙ୍ଗ ନେତୃତ୍ୱ । ତାଙ୍କ ଜୀବଦଶାରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାର ସଂକଳ୍ପ, ଆଜି ତାଙ୍କୁ ଜଣେ କାଳଜୟୀ ନେତା ଭାବେ ମର୍ଯ୍ୟାଦା ଦେଇଛି । ଆଜି ଏହି ପବିତ୍ର ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନରେ ପୁଣି ଥରେ ନିଜକୁ ସମର୍ପିତ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା । ବିଜୁ ବାବୁଙ୍କ ପ୍ରେରଣା ସବୁବେଳେ ଆମକୁ ଉଦବୁଦ୍ଧ କରୁଥିବ ବୋଲି ଉପସ୍ଥିତ ବିଜେଡ଼ି ନେତାମାନେ ସେମାନଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ରାଜ୍ୟବ୍ୟାପୀ ସମସ୍ତ ନିର୍ବାଚନମଣ୍ଡଳୀ, ଜିଲ୍ଲା ସଦର ମହକୁମାରେ ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସ୍ୱରୂପ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ କରୋନା କଟକଣା ଭିତରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଇଥିଲା ବୋଲି ବିଜେଡ଼ି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।