ଭୁବନେଶ୍ୱର: ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ମେ’ ୧୩ ତାରିଖରେ ସେଠାରେ ଭୋଟ ହେବ । ୧୬ ତାରିଖରେ ଭୋଟ ଗଣତି ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏପ୍ରିଲ୍ ୧୯ ତାରିଖରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୬ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରଖାଯାଇଛି । ୨୭ ରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୨୯ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମେ’ ୧୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
ପିପିଲି ଉପନିର୍ବାଚନ ଆଜି ଅର୍ଥାତ୍ ଏପ୍ରିଲ୍ ୧୭ ତାରିଖରେ ହେବାର ଥିଲା । ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଗତ ୧୪ ତାରିଖରେ ମୃତ୍ୟୁବରଣ କରିବାରୁ ଉପନିର୍ବାଚନ ସ୍ଥଗିତ ରହିଥିଲା । ଉପନିର୍ବାଚନ ସାନି ତାରିଖକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ସଂଧ୍ୟାରେ ସିଇଓଙ୍କ ଅଫିସ ପକ୍ଷରୁ ଏହି ସୂଚନା ଆସିଛି ।







