ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ବାଇ-ଲ’ ପ୍ରତ୍ୟାହାର ଦାବି ଜୋର୍ ହୋଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋାର୍ଦ୍ଧା ଜିଲ୍ଲାପାଳ ଆଜି ଏନଏମଏ ସଦସ୍ୟଙ୍କୁ ଏ ନେଇ ଚିଠି ଲେଖିଥିଲା ବେଳେ ଲିଙ୍ଗରାଜ ମନ୍ଦିରର ଚାରି ନିଯୋଗ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ୨୪ ଘଣ୍ଟାର ମହଲତ୍ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ବାଇ-ଲ’ ପ୍ରତ୍ୟାହାର କରା ନ ଗଲେ ବିରାଟ ଗଣ ଆନ୍ଦୋଳନ ହେବ ଏବଂ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ସାମର୍ଥ ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସାମନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନଏମଏର ପ୍ରସ୍ତାବିତ ବାଇ-ଲ’ କୁ ଘୋର ବିରୋଧ କରାଯାଇଥିଲା । ଶ୍ରୀମନ୍ଦିର ପାଇଁ ବାଇ-ଲ’ ଯେଭଳି ପ୍ରଯୁଜ୍ୟ ନୁହେଁ, ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ମଧ୍ୟ ସେମିତି ପ୍ରଯୁଜ୍ୟ ନୁହେଁ । ଠାକୁରଙ୍କୁ ଭାଗ ଭାଗ କରିବାକୁ ହୀନ ଉଦ୍ୟମ କରାଯାଇଛି ବୋଲି ନିଯୋଗ କର୍ମକର୍ତ୍ତାମାନେ ଅଭିଯୋଗ କରି ବେଆଇନ ନିର୍ମାଣ ବେଳେ ୫୦ ବର୍ଷ ଧରି ଏଏସଆଇ କ’ଣ କରୁଥିଲା ବୋଲି ପ୍ରଶ୍ନ କରିଥିଲେ ।
ସେମାନଙ୍କ କହିବା କଥା, ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପରେ ସେବାୟତ ଓ ସ୍ଥାନୀୟ ଅଞ୍ଚଳବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଥିପାଇଁ ୨୦୦ ସେବାୟତ ପରିବାର ସେମାନଙ୍କ ଜମି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ସୁତରାଂ, ଏନଏମଏର ବାଇ-ଲ’ ନିଷ୍ପତ୍ତି ଏକ ତରଫା ଏବଂ ଏକାମ୍ର ଐତିହ୍ୟ ବିକାଶ କାର୍ଯ୍ୟରେ ଏହା ବାଧା ସୃଷ୍ଟି କରିବ । ସମଗ୍ର ମାମଲାରେ ସେବାୟତ ନିଯୋଗ ରାଜନୀତିର ଗନ୍ଧ ବାରିବା ସହ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବତାକୁ ପ୍ରଶ୍ନ କରିଥିଲେ ।
ସୂଚନାଥାଉକି, ବାଇ- ଲ’ ପ୍ରତ୍ୟାହାର ଦାବିରେ ଗତକାଲି ଏକାମ୍ର ଜନ ଜାଗରଣ ମଞ୍ଚ, ଲିଙ୍ଗରାଜ ସେନା ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନଏମଏର ଏହି ନିଷ୍ପତ୍ତିକୁ ସେମାନେ କଟୁ ସମାଲୋଚନା କରିଥିଲା ବେଳେ ସ୍ଥାନୀୟ ସାଂସଦଙ୍କ ନିରୁଦ୍ଦିଷ୍ଟତାକୁ ପ୍ରଶ୍ନ କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧି ହୋଇ ସାଂସଦ ଏ ପର୍ଯ୍ୟନ୍ତ ପାଟି ଖୋଲୁ ନ ଥିବାରୁ ଅଧିକାଂଶ ଅସନ୍ତୋଷ ପ୍ରକାଶ କରିଥିଲେ ।
ସେପଟେ ଏନଏମଏର ସଦସ୍ୟ ସଚିବଙ୍କୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଲେଖିଥିବା ଚିଠିରେ ବାଇ-ଲ’ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏକାମ୍ର କ୍ଷେତ୍ର ସହ ଲୋକଙ୍କ ଧର୍ମ ଓ ଭାବାବେଗ ଜଡ଼ିତ । ବାଇ-ଲ’ ଲାଗୁ ହେଲେ ଏହା ସେମାନଙ୍କ ପାଇଁ କୁଠାରଘାତ ହେବ । ଏହାଦ୍ୱାରା ଏକାମ୍ର କ୍ଷେତ୍ରର ବିକାଶ ବାଧାପ୍ରାପ୍ତ ହେବା ସହ ମନ୍ଦିର ଚାରିପଟେ ବସବାସ କରୁଥିବା ସେବାୟତ ପରିବାର ବିଶେଷ କ୍ଷତିଗ୍ରସ୍ତ ହେବେ । ଆବଶ୍ୟକତା ଥିଲେ ଆଲୋଚନା ଜରିଆରେ କାମ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ପୂର୍ବରୁ ଦେବୋତ୍ତର କମିଶନର ମଧ୍ୟ ଏନଏମଆଇ ସଦସ୍ୟ ସଚିବଙ୍କୁ ଚିଠି ଲେଖି ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଉଦ୍ଦିଷ୍ଟ ବାଇ-ଲ’ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଦାବି କରିଥିଲେ ।