ଭୁୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସପ୍ତାହେ ପୂରିଗଲା । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଅଭିଯୁୂକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରହିଛି । ମାତ୍ର ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ଖୁଲାସା ହୋଇପାରିନାହିଁ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ମାତ୍ର ଓଡ଼ିଶା ବିଜେପିର ଅଘୋଷିତ ମୁଖିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଥିଲେ । ଦିବଙ୍ଗତ ମନ୍ତ୍ରୀଙ୍କ ପରିବାରଙ୍କ ପାଇଁ କେବଳ ସମବେଦନାର ଟୁଇଟ୍ କରିବା ପରେ ଆଉ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ । ଭୁବନେଶ୍ୱର ଆସି ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତଦନ୍ତର ଗତି କୁଆଡ଼େ ବୋଲି ପ୍ରଶ୍ନ କରି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଥିଲେ ଧର୍ମେନ୍ଦ୍ର । ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସରକାରୀ ବନ୍ଧୁକରୁ ଜଣେ ପୁଲିସ ଏଏସଆଇ ଗୁଳି କଲେ । ମାତ୍ର ତଦନ୍ତକାରୀ ସଂସ୍ଥାକୁ ଆଜି ପର୍ଯ୍ୟନ୍ତ ଏହାର ସୁରାଗ ମିଳିନାହିଁ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କେବଳ ସମବେଦନା ଜଣାଇ ଚୁପ୍ ବସିଛନ୍ତି । ସପ୍ତାହ ପରେ ପୁଲିସ ଡିଜି ସାମ୍ବାଦିକ ସମ୍ମିଳନୀ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଭରସା କରିଛନ୍ତି । ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ଅଧିକାରରେ ସ୍ପଷ୍ଟତା ନ ଥିବା ଦର୍ଶାଇ ତଦନ୍ତର ଗତି କୁଆଡ଼େ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ ।
ଓଡ଼ିଶାରେ ଆଇନଶୃଙ୍ଖଳା କେଉଁଭଳି ବିପର୍ଯ୍ୟସ୍ତ ତାହା ମନ୍ତ୍ରୀଙ୍କ ହତ୍ୟା ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ । କେବଳ ଏଇ ଗୋଟିଏ ଘଟଣା ନୁହେଁ, ଦୁଇଦିନ ତଳେ ବାଲେଶ୍ୱର ଉପଜିଲ୍ଲାପାଳ ଏବଂ ତାଙ୍କ ଡ୍ରାଇଭର ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆଇନକୁ କାର୍ଯ୍ୟକାରୀ କରିବାକୁ ଥିବା ସଂସ୍ଥା ମୂଳ କାମରେ ନ ଥିବାରୁ କ୍ୟାବିନେଟ୍ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି ବୋଲି ଧର୍ମେନ୍ଦ୍ର କହିଥିଲେ ।
ଏହି ପରିପ୍ରେକ୍ଷୀରେ ମାହାଙ୍ଗା ଡବଲ ମର୍ଡର, ଆନନ୍ଦ ଟପ୍ନୋ ହତ୍ୟା ଏବଂ ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ଯୁବତୀଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇଥିଲେ । ସଂପୃକ୍ତ ତିନୋଟି ଯାକ ମାମଲାରେ ପୁଲିସ ଅଭିଯୋଗ ଗ୍ରହଣ କରି ନ ଥିବାରୁ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସଚେତନ ହେବା ଦରକାର । ଦାୟିତ୍ୱ ନେବାର ଆବଶ୍ୟକତା ଅଛି ବୋଲି ଧର୍ମେନ୍ଦ୍ର କହିଥିଲେ ।
ଆଜି କେବଳ ଧର୍ମେନ୍ଦ୍ର ନୁହଁନ୍ତି, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟ କାର୍ଯ୍ୟରତ ବିଚାରପତିଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ଛାଡ଼ିଦେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।