ଭୁବନେଶ୍ୱର: ପଦ୍ମପୁର ଫଳ ଘୋଷଣାର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଗୁଗଲି ଫିଙ୍ଗିଛନ୍ତି । ଓଡ଼ିଶାରେ କୁଆଡ଼େ ଆଗୁଆ ନିର୍ବାଚନ ହେବ । ଏକଥା ସେ ଶୁଣୁଛନ୍ତି ବୋଲି ଧର୍ମେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ନିର୍ବାଚନକୁ ୮ ମାସ କି ୧୫ ମାସ ହେଉ ବହୁତ କଥା ହେବ, ନଦୀରେ ବହୁତ ପାଣି ବୋହିବ ।
ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହୋଇପାରେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ସେହି ନ୍ୟାୟରେ ଓଡ଼ିଶାରେ ଏକାସାଙ୍ଗେ ଆଗୁଆ ନିର୍ବାଚନ ହେବ ବୋଲି କୁହାଯାଉଥିଲା । ମାତ୍ର ଖାଲି ଓଡ଼ିଶାରେ ଆଗୁଆ ନିର୍ବାଚନ ସମ୍ଭାବନା କଥାଟି ଆଜି ପ୍ରଥମ ଥର ପାଇଁ ଧର୍ମେନ୍ଦ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଲା । ଧର୍ମେନ୍ଦ୍ର ଏହା କାହାଠାରୁ ଶୁଣିଛନ୍ତି କହିନାହାନ୍ତି । କିନ୍ତୁ ଗଣମାଧ୍ୟମକୁ ନିର୍ବିଘ୍ନରେ କହିଛନ୍ତି ।
ଧର୍ମେନ୍ଦ୍ରଙ୍କ ଭଳି ଭାରତବର୍ଷର ଜଣେ ବିଚକ୍ଷଣ ରାଜନେତା କାନକୁହା କଥାରେ ବିଶ୍ୱାସ କରିବେ ଆଉ ତାହାକୁ ମିଡିଆ ଆଗରେ ପ୍ରକାଶ କରିବେ, ତାହା ସହଜରେ ଗ୍ରହଣ କରିହେଉନାହିଁ । କାରଣ ସୁର ରାଉତରାୟ କି ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି କହୁ କହୁ କହିଦେବା ରାଜନେତା ସେ ନୁହଁନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ହାଲକା ଭାବେ ନିଆଯାଇପାରିବ ନାହିଁ । ହୁଏତ ତାଙ୍କ ମନ୍ତବ୍ୟର ସତ୍ୟତା ଅଛି ନଚେତ ତାଙ୍କର ରାଜନୈତିକ ଗୋଟିଚାଳନା ରହିଛି ।
ଯଦି ସତ୍ୟ ତେବେ ଆଧାର କ’ଣ କିଛି ବୁଝାପଡୁନାହିଁ । ମାତ୍ର ରାଜନୈତିକ ବାସ୍ତବତାକୁ ବିଚାର କଲେ, ଓଡ଼ିଶାରେ ଆଗୁଆ ନିର୍ବାଚନ ପାଇଁ ବିଜେଡି କେବେ ବି ଚାହିଁବନି । କାରଣ ଆଗୁଆ ନିର୍ବାଚନରେ ବିଜେଡିର କ୍ଷତି ହିଁ କ୍ଷତି ହେବ । ନରେନ୍ଦ୍ର ମୋଦୀ, ଅମିତ୍ ଶାହାଙ୍କଠାରୁ ଆରମ୍ଭ କରି କେନ୍ଦ୍ରର ବିଜେପି ପଲଟନ ଓଡ଼ିଶାରେ କେନ୍ଦ୍ରୀଭୂତ ରହି ଲଢ଼େଇକୁ ଆର ପାର କରିବାକୁ ଚାହିଁବେ । ଯାହା ବିଜେଡିକୁ ଘାତକ ହେବ । ମାତ୍ର ଏକାସାଙ୍ଗରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେଲେ ବିଜେପି ପାଖରେ ଏହି ସୁଯୋଗ ରହିବନି । ତେଣୁ ବିଜେଡି ଆଗୁଆ ନିର୍ବାଚନ କରିବା ଅର୍ଥ ଶତ୍ରୁପକ୍ଷକୁ ଘରକୁ ଡାକି ଜ୍ୱାଇଁ କୁଣିଆ ଚର୍ଚ୍ଚା କରିବା ସହ ସମାନ । ଯାହା ବିଜେଡି କେବେ ଚାହିଁବନି ।
ଧର୍ମେନ୍ଦ୍ରଙ୍କ ଶୁଣାକଥାକୁ ବିଶ୍ୱାସ କଲେ, ଏହାଦ୍ୱାରା ବିଜେଡିର କ’ଣ ଲାଭ ତାହା ଧର୍ମେନ୍ଦ୍ର ତାଙ୍କ ମନ୍ତବ୍ୟରେ ଆଭାସ ଦେଇନାହାନ୍ତି । ହେଲେ ବିଜେପିର ଏକ ଗୋଷ୍ଠୀ ସମ୍ଭାବ୍ୟ ‘ରାଜୁ ଦାସ’ ମାନଙ୍କ କବଳରୁ ସୁରକ୍ଷିତ ରହିବା ପାଇଁ ବିଜେଡି ଏହି ରଣକୌଶଳ ଆପଣେଇପାରେ ବୋଲି ଚର୍ଚ୍ଚା କରୁଛନ୍ତି । ପଦ୍ମପୁର ଉପନିର୍ବାଚନରେ ବିଜେଡି ଯେଉଁ ସଫଳତା ପାଇଛି ସେହି ହାୱାରେ ସାଧାରଣ ନିର୍ବାଚନ ପାର୍ ହୋଇଯିବା ପାଇଁ ଏହି ଯୋଜନା ହୋଇଥିବ ବୋଲି ପ୍ରଚାର କରାଯାଉଛି ।
ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କର ଏମିତି କହିବା ପଛରେ ରାଜନୈତିକ ଗୋଟିଚାଳନା ଥାଇପାରେ ବୋଲି ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି । ସେମାନଙ୍କ କହିବା କଥା, ଧର୍ମେନ୍ଦ୍ରଙ୍କ ଭଳି ପରିପକ୍ୱ ନେତାଙ୍କୁ ବାସ୍ତବତା ଆଦୌ ଅଜଣା ନାହିଁ । ପଦ୍ମପୁର ହାତେଇବା ପାଇଁ କଠିନ ପରିଶ୍ରମ କରି ବିଫଳ ହେବା ପରେ ଓଡ଼ିଶାରେ ତାଙ୍କ ଦଳର ସ୍ଥିତି ବିଷୟରେ ସେ ଭଲଭାବେ ଅବଗତ ଅଛନ୍ତି । ତେଣୁ ହୁଏତ ଶୁଣାକଥା ନାଁରେ ସେ ବିଜେଡିକୁ ଆଗୁଆ ନିର୍ବାଚନ ପାଇଁ ଉସକେଇବାକୁ ଚେଷ୍ଟା କରିଛନ୍ତି ଅଥବା ମାର୍କେଟ୍ ରେ ଗୁଲି ଛାଡ଼ି ଏହାର ପ୍ରଭାବକୁ ପରଖିବାକୁ ଉଦ୍ୟମ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ଆଜିର ସଭା ଏବଂ ମନ୍ତବ୍ୟ ପରିପ୍ରେକ୍ଷୀରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ରାଜନୈତିକ ମହଲ ଚର୍ଚ୍ଚା କରୁଛନ୍ତି । ତାହା ହେଲା ବିଜେଡି- ବିଜେପି ସମ୍ପର୍କ । ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ ହୋଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କଠୋର ଶବ୍ଦ ବ୍ୟବହାର କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ କଡ଼ା ଜବାବ ଦେଇଥିଲେ । ସାମଗ୍ରିକ ଭାବେ କେନ୍ଦ୍ରର ବିଜେପି ସରକାର ବିରୋଧରେ ମୁଖ୍ୟମନ୍ତ୍ରୀ ରଣହୁଙ୍କାର ଦେଇଥିଲେ ।
ପଦ୍ମପୁର ଭୋଟ ଗଣତି ସରିବାର ୪୮ ଘଣ୍ଟା ନ ପୂରୁଣୁ ଆଜି ଭୁବନେଶ୍ୱରରେ ଦୁହିଁଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା । ସଭାରେ ସବୁ ଠିକ୍ ଠାକ୍ ଚାଲିଲା । ମାତ୍ର ସେଠାରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ତେର୍ଚ୍ଛାବାଣ ମାରିଥିଲେ । ଯାହା ବିଭିନ୍ନ ମହଲରେ କୌତୁହଳ ସୃଷ୍ଟି କରିଛି । ବିଜେଡି-ବିଜେପିର ଏହି ସମ୍ପର୍କକୁ ଅନେକ ବୁଝିପାରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଧର୍ମେନ୍ଦ୍ର ଗୋଟିଏ ମଞ୍ଚ ବସିବା ପଛରେ ଦିଲ୍ଲୀ ଇସାରା ନାହିଁ ତ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ।