ଭୁବନେଶ୍ୱର: ରାଜସ୍ଥାନର ବହୁଳ ପ୍ରସାରିତ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କରରେ ଆଜିର ମୁଖ୍ୟ ଖବର ଶୀର୍ଷକ ରହିଛି ‘ନଇ କ୍ୟାବିନେଟ୍ ମେଁ ରାଜସ୍ଥାନ କା ଜଲୱା- ମୋଦି ସରକାର ମେଁ ହମାରେ ୩ କ୍ୟାବିନେଟ୍ ମନ୍ତ୍ରୀ, ୨ ରାଜ୍ୟମନ୍ତ୍ରୀ ।’ ଏହି ଖବରରେ ଫଟୋ ସହ ସେମାନଙ୍କ ନାଁ ପ୍ରକାଶ ପାଇଛି । ରାଜସ୍ଥାନର ଏହି ଜଲୱାଙ୍କ ମଧ୍ୟରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ । କେବଳ ଦୈନିକ ଭାସ୍କର ନୁହେଁ, ରାଜ୍ୟର ସବୁ ଖବରକାଗଜ ଓ ଟିଭିରେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜସ୍ଥାନ କୋଟା ଭାବେ ଗଣତି କରାଯାଇଛି । ତାଙ୍କୁ ରେଳ ଏବଂ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଇଥିବାରୁ ମୋଦିଙ୍କୁ କୃତଜ୍ଞତା ଦିଆଯାଇଛି ।
ଏପଟେ ଆମ ଓଡ଼ିଶାରେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ହୁରି ପଡ଼ିଛି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗ ମିଳିଥିବାରୁ ତାଙ୍କ ଦଳ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛି । ବୈଷ୍ଣବଙ୍କୁ ଏହି ଦାୟିତ୍ୱ ଦେଇ ମୋଦି ଓଡ଼ିଶାକୁ ପ୍ରାଧାନ୍ୟ ଦେଇଛନ୍ତି ବୋଲି ରାଜ୍ୟର ସବୁ ମିଡ଼ିଆରେ ଖବର ହୋଇଛି । ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସ୍ୱାଭାବିକ ଭାବେ ତାଙ୍କୁ ଓଡ଼ିଶାର ମୁଣ୍ଡ ଭାବେ ଏଠି ଗଣତି କରାଯାଇଛି । ଜାତୀୟ ଗଣମାଧ୍ୟମରେ ବି ତାଙ୍କୁ ଓଡ଼ିଶାର ପ୍ରତିନିଧି ଭାବେ ଦର୍ଶାଯାଇଛି ।
ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ବିଚାର କରାଯାଉ । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ପୁଅ ହୋଇଥିଲେ ମଧ୍ୟ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ କେନ୍ଦ୍ରରେ ମନ୍ତ୍ରୀପଦ ମଣ୍ଡନ କରି ଆସୁଛନ୍ତି । ଗତ ସରକାରରେ ସେ ବିହାରରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ମାତ୍ର କେବେ ବି ତାଙ୍କୁ ବିହାର କିମ୍ବା ମଧ୍ୟପ୍ରଦେଶ ପରିଚୟ ଦିଆଯାଇନି । ତାଙ୍କର କାର୍ଯ୍ୟକ୍ଷେତ୍ର ଓଡ଼ିଶା ରହି ଆସିଛି ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶା ତାଙ୍କର ଫୋକସ୍ ରେ ରହିଆସିଛି । ଓଡ଼ିଶାର ସେ ପ୍ରତିନିଧି ବୋଲି ତାଙ୍କ ଦଳ ଓ ମିଡ଼ିଆ ବିବେଚନା କରୁଛନ୍ତି ।
ପ୍ରଶ୍ନ ହେଉଛି, ଯଦି ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇ ବି ଓଡ଼ିଆ ପୁଅ ଭାବେ ଓଡ଼ିଶାର ପ୍ରତିନିଧି ଭାବେ ଗଣାଯାଉଛନ୍ତି, ତେବେ ଅଶ୍ୱିନୀ ବୈଷ୍ଣବଙ୍କ କ୍ଷେତ୍ରରେ ତାହା ଭିନ୍ନ ହେବ କେମିତି? ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜସ୍ଥାନ ପୁଅ । ତେଣୁ ଧର୍ମେନ୍ଦ୍ରଙ୍କ ଭଳି ତାଙ୍କୁ ରାଜସ୍ଥାନର ପ୍ରତିନିଧି ଭାବେ ବିବେଚନା କରାଯିବନି କି? ଧର୍ମେନ୍ଦ୍ର ଓ ବୈଷ୍ଣବଙ୍କ ଦାବିଦାର ପଛରେ ଭିନ୍ନ ଭିନ୍ନ ବିଚାରଧାରା କାହିଁକି?
ରାଜ୍ୟ ପ୍ରତିନିଧିତ୍ୱ ଦାବିଦାର କ୍ଷେତ୍ରରେ ବିଜେପିର ଏଭଳି ବାଛବିଚାରକୁ ପ୍ରଶ୍ନ କରିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ । ଧର୍ମେନ୍ଦ୍ର ଯେଉଁ ରାଜ୍ୟରୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଛନ୍ତି ସେ ରାଜ୍ୟକୁ ଅଣଦେଖା କରି ନିଜ ଜନ୍ମମାଟିକୁ କର୍ମକ୍ଷେତ୍ର ବାଛିଛନ୍ତି । ନିଜର ରାଜନୈତିକ କାର୍ଯ୍ୟକ୍ରମ ଏଇଠି ହିଁ କେନ୍ଦ୍ରୀଭୂତ କରିଛନ୍ତି । ଠିକ୍ ସେମିତି, ଅଶ୍ୱିନୀ ବୈଷ୍ଣବଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେବ କେମିତି? ନିଶ୍ଚିତ ଭାବେ ତାଙ୍କ ଜନ୍ମମାଟି ରାଜସ୍ଥାନକୁ ଫୋକସ୍ ରେ ରଖିବେ । ସେ ମନ୍ତ୍ରୀ ହେବା ପରେ ତାଙ୍କ ରାଜ୍ୟବାସୀ ତାଙ୍କଠାରୁ ଅନେକ ଆଶା ରଖିଥିବା ମିଡ଼ିଆ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ସୁତରାଂ ଓଡ଼ିଶା ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଛି କହିଲେ ଠିକ୍ ହେବ । ବଡ଼ ବଡ଼ ମିଡ଼ିଆ ବି ଏହି ଭୁଲଭାଲ ଗଣିତକୁ ପ୍ରଶ୍ନ କରୁନାହାନ୍ତି । ଗୋଟିଏ ରାହାରେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ମୁଣ୍ଡ ଗଣତି କରୁଥିଲା ବେଳେ ବୈଷ୍ଣବଙ୍କୁ ବି ଓଡ଼ିଶାର ମୁଣ୍ଡଗଣତି କରୁଛନ୍ତି । ବୈଷ୍ଣବଙ୍କୁ ରେଳ ମନ୍ତ୍ରଣାଳୟ ଦିଆଯାଇଥିବାରୁ ଓଡ଼ିଶାର ଓଜନ ବଢ଼ିଲା ବୋଲି ପ୍ରଚାର କରାଯାଉଛି । ଅନ୍ୟପକ୍ଷରେ, ରାଜସ୍ଥାନ ବିଜେପି ଶାଖା ଏବଂ ମିଡ଼ିଆ ମଧ୍ୟ ବୈଷ୍ଣବଙ୍କୁ ନେଇ ଅନୁରୂପ ଦାବି କରିଛି । ପ୍ରଥମ ଥର ପାଇଁ ରାଜସ୍ଥାନକୁ ରେଳ ମନ୍ତ୍ରଣାଳୟ ମିଳିଥିବାରୁ ଗର୍ବ କରାଯାଇଛି ।
ବୁଦ୍ଧିଜୀବୀଙ୍କ ଯୁକ୍ତି ହେଉଛି, ଆମେ ଯେଭଳି ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ନୁହଁ କହି ପର କରିପାରିବାନି, ବୈଷ୍ଣବଙ୍କୁ ରାଜସ୍ଥାନବାସୀ ରାଜସ୍ଥାନର ନୁହଁ କରି ପର କରିପାରିବେନି । କାରଣ ରାଜସ୍ଥାନ ମାଟି, ପାଣି ଓ ପବନରେ ବଢ଼ିଛନ୍ତି ବୈଷ୍ଣବ । ନିଜ ଜନ୍ମମାଟି ପ୍ରତି ତାଙ୍କର ଆକର୍ଷଣ ରହିବ ଏବଂ ଦିଲ୍ଲୀ ପରେ ତାଙ୍କର ରାଜନୈତିକ କର୍ମସ୍ଥଳୀ ନିଜ ଜନ୍ମମାଟି ରହିବ ।
ଏଭଳି କ୍ଷେତ୍ରରେ ଓଡ଼ିଶାରୁ ତାଙ୍କୁ ମୁଣ୍ଡଗଣତି କରିବାଟା ସମୀଚୀନ ନୁହେଁ ବୋଲି କୁହାଯାଉଛି । ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବିଜେପି ଆଗରୁ ଛତ୍ରପାଲ ସିଂ ଲୋଧା ଓ ବଲବୀର ପୁଞ୍ଜଙ୍କୁ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲା । ମାତ୍ର ଓଡ଼ିଶା ପ୍ରତି ସେମାନଙ୍କର ଅବଦାନ କ’ଣ ସମସ୍ତେ ଜାଣନ୍ତି ।
ଏହି ଦୃଷ୍ଟିରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡ଼ିଶାକୁ ନ୍ୟୁନ କରାଯାଇଥିବା ଗୋଟିଏ ମହଲ ଯୁକ୍ତି କରିଛନ୍ତି । ସେମାନଙ୍କ ମତରେ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତି ଅନ୍ୟାୟ ହୋଇଛି । ଆଞ୍ଚଳିକ ସମୀକରଣକୁ ମଧ୍ୟ ଦୃଷ୍ଟି ଦିଆଯାଇନାହିଁ । ପଶ୍ଚିମ ଓଡ଼ିଶା ୫ ସାଂସଦ ପଠାଇଥିଲା ବେଳେ ମୋଦି କାହାରିକୁ ସ୍ଥାନ ଦେଲେନାହିଁ । ଉତ୍ତର ଓଡ଼ିଶାରୁ ପ୍ରଥମ ଥରର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ କରି ମୋଦି ଉପରକୁ ଆଦିବାସୀ କାର୍ଡ ଖେଳିଛନ୍ତି । ତେବେ ଏଥିରେ ଓଡ଼ିଶାକୁ ପ୍ରାଧାନ୍ୟ ନୁହେଁ, ବରଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଦୃଷ୍ଟିରେ ରଖାଯାଇଛି ।