ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ତାଙ୍କୁ ଯୋଡ଼ା ଯାଉଥିବାରୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଭାଙ୍ଗିପଡ଼ିଥିବା କହିଛନ୍ତି । ମନଗଢ଼ା ଓ ଭିତ୍ତିହୀନ ଖବର କରି ତାଙ୍କର ଚରିତ୍ର ସଂହାର ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ଅର୍ଗସ ଟିଭି, ଓଟିଭି ଓ ଓଡିଶା ରିପୋର୍ଟର ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି । ତେବେ ତାଙ୍କ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମିଡ଼ିଆ ହାଉସ୍ କୁ ସେଥିରୁ ବାଦ୍ ଦେବା ସମସ୍ତଙ୍କୁ ବିସ୍ମିତ କରିଛି । ବିସ୍ମିତ ଏଥିପାଇଁ ଯେ କ୍ୟାପେଟନ୍ ଙ୍କ ଇଜ୍ଜତ ଲୁଣ୍ଠନ ମାପଦଣ୍ଡରେ ସୌମ୍ୟଙ୍କ ତୃତୀୟ ନୟନ ବିଲକୁଲ୍ ପଛରେ ନାହିଁ ।
ଗୋବିନ୍ଦ ସାହୁ-ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାଠାରୁ ଆରମ୍ଭ କରି, ମହାଲିଙ୍ଗ କଲେଜକୁ ଅପର୍ଯ୍ୟାପ୍ତ ସରକାରୀ ଅନୁଦାନ, ହଷ୍ଟେଲ ଗୁପ୍ତ କୋଠରୀ, ରଙ୍ଗଶାଳା, ନେତା-ପ୍ରଶାସକ-ଠିକାଦାରଙ୍କ ମଧୁଚନ୍ଦ୍ରିକା, ମମିତାଙ୍କ ଟ୍ୱିଟର୍ ପୋଷ୍ଟ ଡିଲିଟ୍ ଖବର ପର୍ଯ୍ୟନ୍ତ ଭଳିକି ଭଳି ବେଶୀ ସନସନି ଖବର ଯଦି କେଉଁଠି ଆସିଛି ତେବେ ସେଇ ତୃତୀୟ ନୟନରେ । ଯାହାର ପ୍ରମାଣ ଦେଖିବାକୁ ବାକି ଅଛି ।
ନିଜେ ସୌମ୍ୟବାବୁ ତାଙ୍କ ସମ୍ପାଦକୀୟରେ ମାମଲାକୁ ନେଇ ସରକାର, ମନ୍ତ୍ରୀ ଦିବ୍ୟଶଙ୍କର ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ବିଜେଡ଼ି ନେତା/ନେତ୍ରୀଙ୍କୁ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରିଛନ୍ତି । ତାଙ୍କ ‘ଆମ ଘରର ହାଲଚାଲ୍’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ ଅହଂକାରୀ ଦର୍ଶାଇ ଏହା ‘ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ର ସଂକୋଚନର ମୂଳ କାରଣ ବୋଲି କଟାକ୍ଷ କରିଛନ୍ତି । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ଯେ ଅସଲ ଖଳନାୟକ ତାହା ପରୋକ୍ଷରେ ସୂଚାଇ ଦେଇଛନ୍ତି ନିଜେ ସୌମ୍ୟ ଓ ତାଙ୍କର ମିଡ଼ିଆ ହାଉସ୍ ।
ମାତ୍ର ନିଜକୁ ନିଦେ୍ର୍ଦାଷ ଦାବି କରୁଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଏଥିରେ ମାନହାନି ହୋଇନାହିଁ !! ଅର୍ଥାତ୍ ଅନ୍ୟ ତିନୋଟି ମିଡ଼ିଆ ତାଙ୍କର ମାନହାନି କରିଥିଲା ବେଳେ ସୌମ୍ୟଙ୍କ ମିଡ଼ିଆ ସଂସ୍ଥା ସେଥିରେ ସାମିଲ ନାହିଁ । ସମ୍ବାଦ, କନକ ଟିଭି ଯାହା ଲେଖୁଛନ୍ତି କି ଦେଖୋଉଛନ୍ତି ତାହା ମିଛ ନୁହେଁ କି ତାଙ୍କର ଚରିତ୍ର ସଂହାର ହେଉନି । କ୍ୟାପେଟନ୍ ଙ୍କ ପ୍ରେସ୍ ବିବୃତିରୁ ଏୟା ବୁଝିବାକୁ ହେବ । ନୁହେଁ କି?
ହୋଇପାରେ, ଦଳୀୟ ବିଧାୟକ ହୋଇଥିବାରୁ ସୌମ୍ୟବାବୁଙ୍କ ପ୍ରତି କ୍ୟାପେଟନ୍ ଉପର୍ଧ ଦେଖାଇଛନ୍ତି କିମ୍ବା ତାଙ୍କ ତୃତୀୟ ନୟନକୁ ଡ଼ର ଥିବାରୁ ମକଦ୍ଦମା କରିବାକୁ ସାହାସ ଜୁଟାଇ ନାହାନ୍ତି? କ୍ୟାପେଟନ୍ ଙ୍କ ପାଖରୁ ଏହାର ସ୍ପଷ୍ଟୀକରଣ ଅପେକ୍ଷା କରାଯାଉଛି ।
ରାଜନୈତିକ ସମୀକ୍ଷକମାନେ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରିଛନ୍ତି । ସେମାନଙ୍କ ମତରେ, ମିଡ଼ିଆ ପାୱାର୍ ହିଁ ସୌମ୍ୟବାବୁଙ୍କୁ ବିଜେଡ଼ିରେ ପଣ୍ଡିତ ପୁଅ ସଜାଇ ଦେଇଛି । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିରେ ତାଙ୍କ ମିଡ଼ିଆ ମାଡ଼କୁ ବିଜେଡ଼ି ନେତାମାନେ ପ୍ରତିବାଦ କରିବାକୁ ସାହାସ କରିପାରୁନାହାନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ସେ ବାରମ୍ବାର ଟାର୍ଗେଟ୍ କରି ସରକାରଙ୍କୁ ଅକଳରେ ପକାଉଥିଲେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଚତୁର ସୌମ୍ୟବାବୁ ଏହି ଦୁର୍ବଳତାରୁ ଫାଇଦା ନେଇ ବ୍ଲାକ୍ ମେଲିଂ ଜାରି ରଖିଥିବା ସେମାନେ ସୂଚାଇଛନ୍ତି । ମନ୍ତ୍ରୀ ନ ହେଲା ଯାଏଁ ସୌମ୍ୟବାବୁ ଏହି ଧାରା ଜାରି ରଖିବା ନିଶ୍ଚିତ ବୋଲି ସେମାନେ କହିଛନ୍ତି ।
ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମ୍ବେଦନଶୀଳ ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ଦଳର ଭରସା ହୋଇଛି ତୃତୀୟ ନୟନ ସ୍କ୍ରିପ୍ଟ । ସେହି ସ୍ପ୍ରିପ୍ଟକୁ ଧରି ବିଜେପି ଓ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରୁଥିବା ଲକ୍ଷ୍ୟ କରାଯାଉଛି । ସେଥିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ମାନହାନି ନ ହେବା ନିଶ୍ଚିତ ଭାବେ ଗବେଷଣାର ବିଷୟ ।