ଭୁବନେଶ୍ୱର: ୟୁପି ଲଖିମପୁର ଖେରି ଚାଷୀ ହତ୍ୟା ମାମଲାର ଭିଲେନ୍ କୁହାଯାଉଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କର ଓଡ଼ିଶାଗସ୍ତକୁ ଆଜି ଜୋରଦାର ବିରୋଧ କରିଛି ଛାତ୍ର ଓ ଯୁବ କଂଗ୍ରେସ । ଭୁବନେଶ୍ୱର ବିମାନବନ୍ଦରରୁ କେନ୍ଦ୍ରମନ୍ତ୍ରୀ ବାହାରିବା ବେଳେ ଏୟାରପୋର୍ଟ ଛକରେ ତାଙ୍କ ଗାଡ଼ି ଉପରକୁ ଅଚାନକ କିଛି ଛାତ୍ର କଂଗ୍ରେସ କର୍ମୀ ମାଡ଼ି ଆସି ଅଣ୍ଡା ଓ କାଳିମାଡ଼ କରିଥିଲେ । କଳାପତାକା ଦେଖାଇଥିଲେ । ପୁଲିସ ସେମାନଙ୍କୁ ଅଟକାଇବା ବେଳେ ଧସ୍ତାଧସ୍ତି ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ପ୍ରତିବାଦ ଆନ୍ଦୋଳନ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ଦୀର୍ଘ ମାସେ ହେଲାଣି ଆନ୍ଦୋଳନ ଚାଲିଛି । ସେପ୍ଟେମ୍ବର ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରକୁ ତାଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ସେଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ । ଉତ୍ତ୍ୟକ୍ତ ଚାଷୀଙ୍କ ପାଲଟା ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିଲେ । ଘଟଣା ପରେ ପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଫେରାର ହୋଇଯାଇଥିଲେ ଏବଂ ପରେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ ।
ତେବେ ଏହି ଚାଷୀ ହତ୍ୟା ଘଟଣାରେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଭୂମିକା ଉପରକୁ ଅଙ୍ଗୁଳି ଉଠିଥିଲା । ତାଙ୍କର ଇସ୍ତଫା/ବହିଷ୍କାର ପାଇଁ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିଲା । କିଛି ଜାଗାରେ ଏବେ ବି ଜାରି ରହିଛି । ମାତ୍ର ନା ସେ ଇସ୍ତଫା ଦେଲେ ନା ପ୍ରଧାନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଲେ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଆଶୀର୍ବାଦରେ ଏବେ ବି ବଳୀୟାନ୍ ଅଛନ୍ତି । ଜନ ଅସନ୍ତୋଷକୁ କେନ୍ଦ୍ର ସରକାର ଏବଂ ତାଙ୍କ ଦଳ ଖାତିର କରିନାହାନ୍ତି ।
ଏହି ବିବାଦୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ହେବା ବିଜେପି ନେତାମାନଙ୍କୁ ଅଡୁଆରେ ପକାଇଛି । କ’ଣ କରିବେ ନ କରିବେ ଭାବିଚିନ୍ତି କ୍ୟାମେରା ସାମନାକୁ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ଘଟଣା ନିନ୍ଦନୀୟ ବୋଲି ଦଳର ମୁଖପାତ୍ର ଦିଲ୍ଲୀପ ମହାନ୍ତି ପ୍ରତିକ୍ରିୟା ଦେବା ସହ କଂଗ୍ରେସର ଆଚରଣକୁ ସମାଲୋଚନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ସାରା ରାଜ୍ୟରେ ତୀବ୍ର ଆନ୍ଦୋଳନ ଚଳାଇଛି । ବ୍ରହ୍ମପୁରରେ ଆନ୍ଦୋଳନରତ କର୍ମୀମାନେ ଏସପି ଅଫିସକୁ ଧସେଇ ପଶି ଅଣ୍ଡାମାଡ଼ କରିଥିଲେ । ଏବେ ସେଇ ଅଣ୍ଡା ବୁଲି ବୁଲି ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଆସିଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ବେଳେ ଅଣ୍ଡାମାଡ଼ ଠିକ୍ ହେଲେ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ବେଳେ ଅଣ୍ଡାମାଡ଼ ଭୁଲ୍ ବୋଲି ବିଜେପି ଜଣାଇ ଦେଇଛି । ରାଜନୀତିରେ ଲଜ୍ଜା ଛାଡ଼ି ଏମିତି ଦୋମୁହାଁ ନୀତି ଆପଣେଇବାକୁ ପଡ଼େ ବୋଲି ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ।
ତେବେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଉପରକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼ ଘଟଣା ବିଜେଡ଼ି ନେତାମାନଙ୍କୁ ମଜ୍ଜା ଦେଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ କେହି ମୁହଁ ଖୋଲି ନ ଥିଲେ ମଧ୍ୟ ବିଜେପିର ଦୋମୁହାଁ ନୀତି ପଦାରେ ପଡ଼ିଥିବାରୁ ଖୁସି ହୋଇଛନ୍ତି । ସୂଚନାଥାଉକି, ଭୁବନେଶ୍ୱର ଓ ଭବାନୀପାଟଣାରେ ଦିବ୍ୟଶଙ୍କରଙ୍କ ଘର ଉପରକୁ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କଲା ବେଳେ ବିଜେପି ନେତାମାନେ ଭାରି ଖୁସି ହେଉଥିଲେ ।