ଭୁବନେଶ୍ୱର: ଜଣେ ସାଧାରଣ କନେଷ୍ଟବଳ ୨୦ ବର୍ଷ ଚାକିରି କାଳରେ କେତେ ରୋଜଗାର କରିପାରିବେ? କୋଟି କୋଟି ଟଙ୍କାର ବେପାର କରିବାର ତାକତ୍ କୋଉଠୁ ଆଣିପାରିବେ? ସଚ୍ଚୋଟ ସରକାରୀ ଚାକିରିଆଙ୍କ ପାଇଁ ଏହାର ଉତ୍ତର ଜଟିଳ ହୋଇପାରେ । ମାତ୍ର ପୂର୍ବତନ କନେଷ୍ଟବଳ ପ୍ରସନ୍ନ ବେହେରା ଏହାକୁ କାମରେ ଦେଖାଇଛନ୍ତି । ପ୍ରାୟ ୭ କୋଟି ବେଆଇନ ସମ୍ପତ୍ତିର ମାଲିକ ବନିଛନ୍ତି । ସତ୍ ଉପାୟ ରୋଜଗାରର ଏହା ୨୨୧ ଗୁଣା ଅଧିକ । ପ୍ରସନ୍ନଙ୍କର ଏହି ବିପୁଳ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେଇଛି ।
୩ ଦିନ ତଳେ ଭିଜିଲାନସ୍ ର ୫ ଟି ଟିମ୍ ପ୍ରସନ୍ନ ବେହେରାଙ୍କ ୫ ଟି ଜାଗା ଯଥା, କଳ୍ପନାସ୍ଥିତ ସରକାରୀ ବାସଭବନ, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର୍ ସୋ ରୁମ୍, ଲିଙ୍ଗିପୁର ସନ୍ଥ ବିହାରଠାରେ ଥିବା ଫର୍ଣ୍ଣିଚର୍ ୱାର୍କସପ୍, ପାତ୍ରପଡ଼ାସ୍ଥିତ ସାଉଥସିଟି ବାର ଏବଂ ଖୋର୍ଦ୍ଧା ନୂଆପଡ଼ା ଗାଁରେ ଥିବା ଦୁଇମହଲା କୋଠା ଉପରେ ଏକକାଳୀନ ରେଡ୍ କରିଥିଲେ । ତାଙ୍କ ସ୍ପାର୍କ ଫର୍ଣ୍ଣିଚର ସୋ’ ରୁମ୍ ଟି ୦.୨୫୦ ଏକର ଜାଗା ଉପରେ ନିର୍ମିତ ହୋଇଛି । ଏହି ଜାଗାର ବଜାର ମୂଲ୍ୟ ଦେଢ଼ କୋଟି । ଏହାବାଦ୍ ତାଙ୍କ ଗାଁ ନୂଆପଡ଼ାରେ ୪୫ ଲକ୍ଷ ଟଙ୍କାର ଏକ ପ୍ଲଟ୍, ଭୁବନେଶ୍ୱର ସୁନ୍ଦରପଦାରେ ପତ୍ନୀଙ୍କ ନାଁରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍, ପରିବାର ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଇନସୁରାନ୍ସ ଡିପୋଜିଟ, ୪ ଟି ଦାମୀ କାର୍, ଦୁଇଟି ମଟରସାଇକେଲ, ୨୧ ଟି ପାସବୁକ୍ ଠାବ ହୋଇଥିଲା । ଚାରି ଦିନ ହେଲା ତାଙ୍କର ସବୁ ଆୟ ଏବଂ କମେଇଥିବା ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଥିଲା ।
ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମୂଲ୍ୟ ହେଉଛି ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କା । ଦରମା ଟଙ୍କା ଓ ଅନ୍ୟାନ୍ୟ ସଦ୍ ଉପାୟରେ କରିଥିବା ରୋଜଗାରର ଏହା ୨୨୧ ଗୁଣ ଅଧିକ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି । ଏସବୁ ଆୟ ବର୍ହିଭୂତ ସମ୍ପତ୍ତି ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି । ଭିଜିଲାନସ୍ ତଦନ୍ତ ବେଳେ ସେମାନେ ଏହି ଟଙ୍କାର ଉତ୍ସ ସମ୍ପର୍କରେ ପାଟି ଖନେଇଥିଲେ । ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।
ପ୍ରସନ୍ନଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିରୋଧରେ ଭିଜିଲାନସ୍ ମାମଲା ରୁଜୁ କରାଯାଇଛି । ଭିଜିଲାନସ୍ ଏଡ଼ିଜି ଯଶୱନ୍ତ ଜେଠୱା ନିଜେ ଏହି ମାମଲାର ତତ୍ତ୍ୱାବଧାନ କରୁଛନ୍ତି । ପୂର୍ବରୁ ପ୍ରସନ୍ନ ଗିରଫ ହୋଇ ଜେଲ୍ ରେ ଅଛନ୍ତି ।
ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାଉଥସିଟି ବାର୍ ଗୁମର ଓ କନେଷ୍ଟବଳ ପ୍ରସନ୍ନର କାରନାମା ଜଣାପଡ଼ିଥିଲା । ପ୍ରସନ୍ନ ନାଁରେ ଏକାଧିକ ଅପରାଧିକ ମାମଲା ବି ସାମନାକୁ ଆସିଥିଲା । ଅକ୍ଟୋବର ୨୨ ତାରିଖରେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ । ୨୩ରେ ଗିରଫ ହେଲେ । ୨୪ ରେ ଚାକିରିରୁ ବରଖାସ୍ତ ହେଲେ ।