ଭୁବନେଶ୍ୱର: ଡିଆଇଜି ବ୍ରିଜେଶ ରାୟଙ୍କର ବଦଳି ହୋଇଛି । ତାଙ୍କ ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇଥିବା ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରି ଦୁଇଟି ଯାକ ଗୋଡ଼ ହରାଇବା ଖବର ଆଲୋଡ଼ନ ସୃଷ୍ଟି କରିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବ୍ରିଜେଶଙ୍କୁ ଅନୁଗୁଳରୁ କଟକସ୍ଥିତ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଡିଆଇଜି ଶ୍ରୀ ରାୟଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ଘରୋଇ କାମରେ ନିୟୋଜିତ ମହିଳା ହୋମଗାର୍ଡ ଅନୁଗୁଳ ଜିଲ୍ଲା ରାଣୀଗୋଡ଼ାର ସୈରିଦ୍ରୀ ସାହୁ । ଆତ୍ମହତ୍ୟା ଉଦ୍ୟମରେ ଦୁଇଟି ଗୋଡ଼ ହରାଇ କଟକର ଅଶ୍ୱିନୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସୈରିଦ୍ରୀ ହୋମଗାର୍ଡ ଡିଜିଙ୍କୁ ଏକ ଚିଠିରେ ଡିଆଇଜି ପତ୍ନୀଙ୍କ ନିଷ୍ଠୁର ଆଚରଣ ସମ୍ପର୍କରେ ଲେଖିଛନ୍ତି ।








