ଭୁବନେଶ୍ୱର: ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ ଆଉ ନାହାନ୍ତି । ଆଜି ସକାଳେ ସେ ଇହଲୀଳା ସମ୍ବରଣ କରିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପଡ଼ି ଅଗଷ୍ଟ ୧ ତାରିଖରୁ କଟକ ଏସସିବି ମେଡିକାଲ ଚିକିତ୍ସିତ ହେଉଥିଲେ । ତାଙ୍କୁ ୯୯ ବର୍ଷ ହୋଇଥିଲା । ଶ୍ରୀ ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାର ଗର୍ବ ଓ ଗୌରବ ସ୍ୱର୍ଗତ ମକର ଚରଣ ଦାସ ଗାନ୍ଧୀଜୀଙ୍କ ଡାକରାରେ ମୁକ୍ତି ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ବ୍ରିଟିଶ୍ ରାଜ ବିରୁଦ୍ଧରେ ସଂଗ୍ରାମ କରି କାରାବରଣ କରିଥିଲେ । ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ଶ୍ରୀ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ଚଳିତବର୍ଷ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିଲେ ।
ଡେରାବିସ୍ ବ୍ଲକ୍ ଅନ୍ତର୍ଗତ ହାଟବାଣପୁର ଗ୍ରାମକୁ ତାଙ୍କର ମରଶରୀର ଅଣାଯାଇ ଶବ ସତ୍କାର କରାଯାଇଥିଲା । ପୁତ୍ର ପଞ୍ଚାନନ ଦାସ ମୁଖାଗ୍ନି ଦେଇଥିଲେ ।
ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।







