ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି । ସଂଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଦୁବାଇକୁ ଏହି ପ୍ରଥମ ବିମାନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ୍ ସହ ମୋଟ ୧୭୦ ଜଣ ଯାତ୍ରା କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ, ବିଧାୟକ, ମିଶନ ଶକ୍ତି ସଦସ୍ୟା, କ୍ରୀଡ଼ାବିତ ଏବଂ ଛାତ୍ରଛାତ୍ରୀ । ବିଶ୍ୱ ସଂଯୋଗୀକରଣ କ୍ଷେତ୍ରରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହାପୂର୍ବରୁ ଦୁବାଇରୁ ସିଧାସଳଖ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ଏଥିରେ ସମୁଦାୟ ୧୭୦ ଜଣ ଯାତ୍ରୀ ଆସିଥିଲେ । ସାଢ଼େ ଚାରି ଘଣ୍ଟାର ଯାତ୍ରା ପରେ ସେମାନେ ଏଠି ପହଞ୍ଚିଥିଲେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ୱାଗତ କରାଯାଇଥିଲା । ଫ୍ଲାଇଟ୍ ରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ଥିଲେ ।
ଇଣ୍ଡିଗୋ ଏୟାରଲାଇନ୍ସର ୧୮୦ ବିଶିଷ୍ଟ ୩୨୦ ଏୟାରବସ୍ ସପ୍ତାହର ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ । ଦୁବାଇକୁ ଯିବା ଆସିବା ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି ।