ଭୁବନେଶ୍ୱର: ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ସମ୍ମାନିତ କରିବେ । ଓଡ଼ିଆ ଭାଷା ଉପରେ ଉଚ୍ଚକୋଟୀର ଗବେଷଣାରେ ତାଙ୍କର ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ଦିଆଯିବ । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଶ୍ୱ ଓଡ଼ିଆ ସମ୍ମାନରେ ସମ୍ମାନିତ କରିବେ । ପୁରସ୍କାର ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।
ଭାରତ ର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ । ତାଙ୍କର ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଜନବିଦିତ । ଭାରତୀୟ ଭାଷା ପ୍ରତିଷ୍ଠାନ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଭାରତୀୟ ଭାଷା ପରିଷଦର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଭାଷା ବିଭାଗର ପୂର୍ବତନ ପ୍ରଫେସର ଜି ଉମା ମହେଶ୍ଵର ରାଓ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସବିତା ପ୍ରଧାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି କେ ସ୍ଵାଇଁ ଏବଂ କେନ୍ଦ୍ର ଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ର ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କୁ ନେଇ ଓଡିଶା ସରକାରଙ୍କ ଦ୍ୱାରା ଗଠିତ କମିଟି ସର୍ବସମ୍ମତି କ୍ରମେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ (ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ) ପୁରସ୍କାର ପାଇଁ ସୁପାରିଶ କରିଥିଲେ ।