ଭୁବନେଶ୍ୱର: ଆସନ୍ତାକାଲି ପୌର ନିର୍ବାଚନ । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୧୦୬ ଟି ମ୍ୟୁନିସିପାଲିଟି/ଏନଏସି ଏବଂ ତିନୋଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ପ୍ରାୟ ୪୦ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।
ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି । କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦ ପ୍ଲାଟୁନ୍ ପୁଲିସ ଏବଂ ୧୫୦ ଅଫିସରଙ୍କୁ ମୁତୟନ କରାଯାଇଛି ।
ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ଭୋଟର ପୌର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ । ଏଭଳି ଡବଲ ଭୋଟିଂର ପ୍ରମାଣ ମିଳିଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।