ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସିଲେ ୩୦୦ ମିଟର ଦୂର ମତଦାନ କେନ୍ଦ୍ରକୁ । ପ୍ରିଜାଇଡିଂ ଅଫିସରଙ୍କୁ ପରିଚୟପତ୍ର ଦେଖାଇ ସାଧାରଣ ନାଗରିକଙ୍କ ଭଳି ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କଲେ । ଆଉ ଚାଲି ଚାଲି ଫେରିଲେ ନବୀନ ନିବାସ । ଜଣେ ସାଧାରଣ ଭୋଟର ରୂପରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଦେଖିବାକୁ ନବୀନ ନିବାସ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ଭୋଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୯.୧୦ ମିନିଟ୍ ରେ ନବୀନ ନିବାସରୁ ବାହାରିଥିଲେ । ସେଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ଏରୋଡ୍ରମ୍ ୟୁ.ପି.ସ୍କୁଲ ୫୪୪ ନଂ ବୁଥ୍ ଥିଲା ତାଙ୍କର ମତଦାନ କେନ୍ଦ୍ର । ଏହା ୫୩ ନମ୍ବର ୱାର୍ଡ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ଚାଲି ଚାଲି ସେଠାକୁ ଯାଇ ପ୍ରାୟ ୯.୨୫ ମିଡ଼ିଯ୍ ରେ ପହଞ୍ଚିଥିଲେ । ସାଙ୍ଗରେ ସୁରକ୍ଷା କର୍ମୀଙ୍କ ଛଡ଼ା ଉକ୍ତ ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ସାଧାରଣ ଭୋଟରଙ୍କ ଭଳି ସେଠାରେ ନିଜର ପରିଚୟ ପତ୍ର ଦେଖାଇ ନାଁ ଦର୍ଜ କଲା ପରେ ଭୋଟ ଦେଇଥିଲେ । ଭୋଟକେନ୍ଦ୍ର ବାହାରେ ଅପେକ୍ଷାରତ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ନିଜର ଅଙ୍ଗୁଳି ଦେଖାଇ ଅନ୍ୟମାନେ ଭୋଟ ଦେବାକୁ ଉତ୍ସାହିତ କରିଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି ସେହି ରାସ୍ତାରେ ଚାଲି ଚାଲି ନବୀନ ନିବାସ ଫେରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବୁଥ୍ କେନ୍ଦ୍ର ବାହାରେ ଏବଂ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ଭିଡ଼ ହୋଇଥିଲା । ପୁଲିସ ସେହି ଅଞ୍ଚଳକୁ କର୍ଡନ କରିଥିଲେ ମଧ୍ୟ ଲୋକଙ୍କ ଉତ୍ସାହକୁ ଅଟକାଇ ପାରି ନ ଥିଲା ।
ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଗଣତନ୍ତ୍ରକୁ ଆହୁରି ମଜବୁତ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ପ୍ରତିଟି ଭୋଟ ମୂଲ୍ୟବାନ । ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ । ଭୋଟ୍ ଦେବା ସମୟରେ କୋଭିଡ୍ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।








