ଭୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଜି ଏହି ବିଜ୍ଞପ୍ତି ଜାରି ହୋଇଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଏବଂ ଡ. ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ରେ ସରୁଥିବାରୁ ସେମାନଙ୍କ ଜାଗାରେ ନିର୍ବାଚନ ଅନୁଷ୍ଠିତ ହେବ ।
ବିଜ୍ଞପ୍ତି ଅନୁଯାୟୀ, ଆଜି ଅର୍ଥାତ୍ ମେ’ ୨୪ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ସରକାରଙ୍କ ଦ୍ୱାରା ପ୍ରକାଶିତ ଛୁଟି ଦିନ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଧାନସଭା ସଚିବାଳୟର କନଫରେନ୍ସ ହଲ୍ ରେ ମନୋନୟନପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।
ଜୁନ୍ ୧ ପୂର୍ବାହ୍ନ ୧୧.୩୦ ମିନିଟ୍ ରେ ଦାଖଲ ହୋଇଥିବା ମନୋନୟନପତ୍ର ଯାଞ୍ଚ କରାଯିବ ।
ଜୁନ୍ ୩ ତାରିଖ ଅପରାହ୍ନ ୩ଟା ମଧ୍ୟରେ ମନୋନୟନପତ୍ର ପ୍ରତ୍ୟାହାର କରାଯାଇପାରିବ ।
ଆବଶ୍ୟକ ହେଲେ ଜୁନ୍ ୧୦ ତାରିଖ ଦିନ ପୂର୍ବାହ୍ନ ୯ରୁ ଅପରାହ୍ନ ୪ ଟା ମଧ୍ୟରେ ବିଧାନସଭା ସଚିବାଳୟର ୫୪ ନଂ କମିଟି ପ୍ରକୋଷ୍ଠରେ ଭୋଟ ଗ୍ରହଣ କରାଯିବ ।
ପୂର୍ବରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁବାସ ସିଂହଙ୍କ ଇସ୍ତଫା ଯୋଗୁଁ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ମେ’ ୨୬ ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ଜୁନ୍ ୩ ରେ ମନୋନୟନପତ୍ର ଯାଞ୍ଚ ଏବଂ ଜୁନ୍ ୬ ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି । ଆବଶ୍ୟକ ହେଲେ ଜୁନ୍ ୧୩ ତାରିଖରେ ଭୋଟ ହେବ ।
ଏହିଭଳି ଭାବେ ମୋଟାମୋଟି ୪ ଟି ରାଜ୍ୟସଭା ଆସନ ପୂରଣ ହେବ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ହାତରେ ୪ ଟି ଯାକ ଆସନ ରହିବାରେ କିଛି ବି ଅସୁବିଧା ନାହିଁ । ତେବେ ଗତଥର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ମଧ୍ୟ ବିଜେଡି-ବିଜେପି ସହମତିରେ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ସେ ଯାହା ହେଉ, ଏହି ୪ ଟି ରାଜ୍ୟସଭା ଆସନ ପାଇଁ ବିଜେଡ଼ିରୁ ଡର୍ଜନରୁ ଅଧିକ ନେତାଙ୍କ ନାଁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ବାସ୍ତବ କଥା ହେଉଛି, ମିଡିଆରେ ହେଉଥିବା ଏସବୁ ଚର୍ଚ୍ଚାର କୌଣସି ଆଧାର ହିଁ ନାହିଁ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଆକଳନ କରିବା କାହାରି ପକ୍ଷେ ସମ୍ଭବ ନୁହେଁ । ଅତୀତରେ ବାରମ୍ବାର ଏହା ପ୍ରମାଣିତ ହୋଇଛି । ସୁତରାଂ ନବୀନଙ୍କ ଘୋଷଣାକୁ ସମସ୍ତଙ୍କର ଅପେକ୍ଷା ରହିଛି । ୨୯ ତାରିଖ ସୁଦ୍ଧା ନାଁ ଘୋଷଣା ହୋଇଯିବ ବୋଲି ବିଜେଡି ମହଲରୁ ଶୁଣାଯାଉଛି ।