ଭୁବନେଶ୍ୱର: ରାଜ୍ୟରେ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ ତାଲିକାରୁ କଟିଯାଇଛି । ପ୍ରଥମ ଥର ପାଇଁ ଏତେ ସଂଖ୍ୟାକ ଭୋଟରଙ୍କ ନାଁ କଟିଛି । ସାଂଘାତିକ କଥା ହେଲା, ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟିଯାଇଛି । ସବୁଆଡୁ ମାଳ ମାଳ ଅଭିଯୋଗ ଆସିବା ପରେ ରାଜ୍ୟ ଗୃହ(ନିର୍ବାଚନ) ବିଭାଗ ଚିନ୍ତାପ୍ରକଟ କରିଛନ୍ତି । ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଭୋଟର ତାଲିକାରୁ ନାମକଟା ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଏପ୍ରିଲ୍ ୨, ୨୦୨୬ ପରେ ଫର୍ମ-୭ ଜରିଆରେ ଆସିଥିବା ପ୍ରାୟ ୨ ଲକ୍ଷ ଆବେଦନ ଉପରେ ସାମରିକ ଭାବେ ରୋକ୍ ଲଗାଯାଇଛି । ଅର୍ଥାତ୍ ଏହି ଆବେଦନ ଆଧାରରେ କାହାର ନାଁ ଭୋଟର ତାଲିକାରୁ କଟାଯିବନି ।
ରାଜ୍ୟ ନିବାଚନ ଅଧିକାରୀଙ୍କ ପକ୍ଷରୁ ଇଆରଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ତୁରନ୍ତ କାହାର ନାଁ କାଟିବେ ନାହିଁ । ସେଥିପାଇଁ କଡ଼ା ନିୟମ ପାଳନ କରିବାକୁ ହେବ । ଆବେଦନକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରି କି ନୋଟିସ୍ ଦେଇ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରିବ । କୌଣସି ପ୍ରକୃତ ଭୋଟର ଯେପରି ନିଜର ଅଧିକାର ନ ହରାନ୍ତି ତାହା ନିଶ୍ଚିତ କରିବା ପାଇଁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ କୁହାଯାଇଛି ।
ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍ ଗୋପାଳନ କହିଛନ୍ତି ଯେ ପ୍ରକୃତରେ ଭୋଟର ତାଲିକାରୁ କେହି ବାଦ୍ ପଡ଼ିନାହାନ୍ତି । ନାଁ ବାଦ ପାଇଁ ଉଦ୍ଦିଷ୍ଟ ଫର୍ମ-୭ ଆମ ପାଖରେ ପେଣ୍ଡିଂ ଅଛି । ନାଁ କାଟିବା ପୂର୍ବରୁ ଯାଞ୍ଚ କରାଯିବ । ଭୁଲରେ ଭୋଟର ତାଲିକାରୁ ନାଁ କଟିଥିଲେ ଯୋଡ଼ାଯିବ । ଗୃହ ବିଭାଗର ଚିଠି ଏକ ନିୟମିତି ପ୍ରକ୍ରିୟା, କେବଳ ଯାଞ୍ଚ ପାଇଁ କୁହାଯାଇଥିବା ସିଇଓ ସଫେଇ ଦେଇଛନ୍ତି ।
ପାଖାପାଖି ୧୦ ଲକ୍ଷ ଭୋଟରଙ୍କ ନାଁ ବାଦ୍ ପଡ଼ିବାକୁ ନେଇ ବିଜେଡି ସନ୍ଦେହ ପ୍ରକାଶ କରିଛି । ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାଁ ବାଦ୍ ପଡଉଥିବା ଅଭିଯୋଗରେ ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ସନ୍ଦେହ ପ୍ରକାଶ କରିଛନ୍ତି ।
ଶ୍ରୀ ମିଶ୍ର କହିଥିଲେ, ନିର୍ବାଚନ କମିସନଙ୍କ ଇଲେକ୍ଟ୍ରାଲ ରୋଲ୍ରେ ପ୍ରତିବର୍ଷ ଜାନୁଆରୀରେ ରିଭିଜନ ହୁଏ । କିନ୍ତୁ ଏହି ବର୍ଷ ହୋଇଥିବା ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭୋଟରଙ୍କୁ ବାଦ୍ ଦିଆଯାଇଛି । ଏହି ପ୍ରକ୍ରିୟାରେ ଅତି ବେଶୀରେ ୭ ଲକ୍ଷ ଭୋଟର ବାଦ୍ ପଡୁଥିବା ବେଳେ ଅଧିକ ୩ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଥିବାରୁ, ସନ୍ଦେହ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ, ଅଧିକ ଭୋଟରଙ୍କ ନାମ ବାଦ୍ ପଡିବା ଆଶଙ୍କା ଦେଖାଦେଇଛି । ଏସଆଇଆର ଓଡ଼ିଶାରେ ୨୦୦୨ ମସିହାରେ ହୋଇଥିଲା । ୧୯.୦୮.୨୦୨୫ରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଏହି ସମ୍ୱନ୍ଧରେ ବିଜେଡି ନିଜର ଆଶଙ୍କା ପ୍ରକାଶ କରିଥିଲା । ବିଶେଷକରି ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡେ, ସେଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଜେଡି କହିଥିଲା । ଦେଶର ଜଣେ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବା ଦ୍ୱାରା ତାର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ।
ଶ୍ରୀ ଆଚାର୍ଯ୍ୟ କହିଥିଲେ, ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନରଙ୍କ ସମଗ୍ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ରାଜ୍ୟ ମାନଙ୍କରେ କୋଟି କୋଟି ଭୋଟରଙ୍କୁ ବାଦ୍ ଦିଆଯାଇଥିବାର ଅଭିଯୋଗ ଆସିଛି । ପ୍ରାୟ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଅଧିକ ଭୋଟର ମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଯୋଗ୍ୟ ଭୋଟର ମାନଙ୍କୁ ତାଲିକାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ଦୁଇ ଦିନ ତଳେ ନିର୍ବାଚନ କମିସନ ଯେଉଁ ଚିଠି ଲେଖିଛନ୍ତି, ସେଥିରୁ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି । ମାତ୍ର ଏକ ବର୍ଷ ୪ ମାସ ତଳେ, ଯେଉଁମାନେ ଭୋଟର ତାଲିକାରେ ଥିଲେ, ସେଥିରୁ ପ୍ରାୟ ୧୦ ଲକ୍ଷ ଭୋଟର ବାଦ୍ ପଡିବା ନିଶ୍ଚିତ ଭାବେ ଅଧିକ ସନ୍ଦେହ ସୃଷ୍ଟି କରୁଛି । ସରକାର ଓ ନିର୍ବାଚନ କମିସନ ଏହି ସନେ୍ଦହକୁ ଦୂର କରନ୍ତୁ ଏବଂ କିପରି ଜନସାଧାରଣଙ୍କ ଭୋଟ ଦେବାର ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ଯତ୍ନବାନ ହେବା ଉଚିତ ।