ଭୁବନେଶ୍ୱର: କୋଟିଏରୁ ଅଧିକ ଟଙ୍କା ଠକେଇ ଠକେଇ ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଛାପା ମାରିଛି । ଆଜି ଭୋର୍ ରୁ ଇଓଡବ୍ଲୁର ଏକ ଟିମ୍ ଅର୍ଦ୍ଧେନ୍ଦୁଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଥିଲେ ମଧ୍ୟ ତାଙ୍କୁ ପାଇନାହାନ୍ତି । ସେ ଫେରାର ହୋଇଯାଇଥିବା ଇଓଡବ୍ଲୁ ର ଜଣେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଇଓଡବ୍ଲୁ ର ଦୁଇ ଦୁଇଟି ହାଜିରା ନୋଟିସ୍ କୁ ସେ ଅମାନ୍ୟ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦(ବି) ଦଫାରେ ମାମଲା ରୁଜୁ ହୋଇଛି ।
ବଡ଼ ଖବର ଚାନେଲ୍ ସମ୍ପାଦକଙ୍କ ବିରୋଧରେ ଦୁଇ ଦୁଇଟି ବଡ଼ ଠକେଇ ଅଭିଯୋଗ ଆସିଛି । ପ୍ରଥମଟି ଚାନେଲ ଯନ୍ତ୍ରାଂଶ କିଣା ବାବଦରେ ୯୨ ଲକ୍ଷ ୪୭ ହଜାର ଟଙ୍କାର ଠକେଇ ଏବଂ ଦ୍ୱିତୀୟଟି ପ୍ଲାଏ କିଣାରେ ୭ ଲକ୍ଷ ଟଙ୍କାର ଠକେଇ ।
ପ୍ରଥମଟିର ଅଭିଯୋଗକାରୀ ହେଉଛନ୍ତି ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟର୍ ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱାଲା । ତାଙ୍କ ଅଭିଯୋଗ ଅନୁଯାୟୀ, ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ଏହି ଅର୍ଦ୍ଧେନ୍ଦୁ ଦାସ ୨୦୨୦ ମସିହାରେ ତାଙ୍କ ସହ ଯୋଗାଯୋଗ କରିଥିଲେ । ଆଲୋଚନା ପରେ ତାଙ୍କ ଚାନେଲ୍ ପାଇଁ ୧ କୋଟି ୪୭ ହଜାର ୭୦ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇ ଦେବା ପାଇଁ ଏକ ଚୁକ୍ତି ହୋଇଥିଲା । ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଅବଶିଷ୍ଟ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ୬ ମାସ ମଧ୍ୟରେ ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । ଶ୍ରୀ ଚାୱାଲ୍ ଙ୍କ ସଂସ୍ଥା ଭିଏଲ କାର୍ଗୋ ଜରିଆରେ ଚୁକ୍ତି ମୁତାବକ ଯନ୍ତ୍ରାଂଶ ପଠାଇଥିଲା ।
କିନ୍ତୁ ଯନ୍ତ୍ରାଂଶ ଲାଗିଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇ ନ ଥିଲେ । ଶ୍ରୀ ଚାୱାଲ୍ ବାରମ୍ବାର ଭୁବନେଶ୍ୱର ଆସି ଅର୍ଦ୍ଧେନ୍ଦୁଙ୍କୁ ଭେଟିଥିଲେ ମଧ୍ୟ ନିରାଶ ହୋଇଥିଲେ । ଅର୍ଦ୍ଧେନ୍ଦୁ ଟଙ୍କା ନ ଦେଇ ବିଭିନ୍ନ ବାହାନା କରିଥିଲେ । ପାଖାପାଖି ଦେଢ଼ବର୍ଷ ବିତିଯିବା ପରେ ଶ୍ରୀ ଚାୱାଲା ଗତ ୨୩ ତାରିଖରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ।
ଇଓଡବ୍ଲୁ ତାଙ୍କ ଅଭିଯୋଗକୁ ଗ୍ରହଣ କରି ୨୪ ତାରିଖରେ ଅର୍ଦ୍ଧେନ୍ଦୁଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଥିଲେ । ସେଦିନ ହାଜର ନ ହେବାରୁ ୨୬ ତାରିଖରେ ହାଜର ହେବା ପାଇଁ ଦ୍ୱିତୀୟ ନୋଟିସ୍ ହୋଇଥିଲା । ମାତ୍ର ସେଦିନ ବି ସେ ହାଜର ହୋଇ ନ ଥିଲେ ।
ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଦ୍ୱିତୀୟ ଠକେଇ ଅଭିଯୋଗଟି କଟକରୁ ଆସିଛି । କଟକର ଜଣେ ବ୍ୟବସାୟୀ ନିଶିଥ ଅଗ୍ରୱାଲ୍ ଆଜି ପୁରୀଘାଟ ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଅର୍ଦ୍ଧେନ୍ଦୁ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କାର ପ୍ଲାଏ ବାକିରେ ଆଣିଥିଲେ । ମାତ୍ର ପ୍ରତିଶ୍ରୁତି ମୁତାବକ ସେହି ଟଙ୍କା ଦେଉନାହାନ୍ତି । ବାରମ୍ବାର ଟଙ୍କା ମାଗି ନିରାଶ ହେବା ପରେ ଶ୍ରୀ ଅଗ୍ରୱାଲ୍ ଆଜି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁରୀଘାଟ ଥାନା ପୁଲିସ ତାଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।
ଅପରପକ୍ଷେ ଅର୍ଦ୍ଧେନ୍ଦୁ ସୋସିଆଲ୍ ମିଡିଆରେ ତାଙ୍କ ସ୍ପଷ୍ଟୀକରଣ ରଖିଛନ୍ତି । ସେ ଲେଖିଛନ୍ତି ଯେ ମୁଁ ଚ୍ୟାନେଲ କାମରେ ବାହାରେ ଅଛି । ଇଓଡବ୍ଲୁଠାରୁ ସମନ ପାଇ ତୁରନ୍ତ ସେମାନଙ୍କୁ ଚିଠି ଲେଖି ଏ କଥା ଜଣାଇଥିଲି । ରଥଯାତ୍ରା ପରେ ଦେଖାକରିବି ବୋଲି କହିଥିଲି । ଏହାପରେ ଇଓଡବ୍ଲୁ ପୁଣି ସମନ ଜାରି କହିଲା ହାଜର କରିବାକୁ । ତେଣୁ ମୋର ଆଡଭୋକେଟ୍ ଇଓଡବ୍ଲୁକୁ ମୋ ପକ୍ଷ ମେଲ୍ କଲେ । ଚିଠି ମଧ୍ୟ ଅଫିସରେ ଦିଆଗଲା । ଇଓଡବ୍ଲୁ ଏସପିଙ୍କ ସହ କଥା ବି ହେଲେ । ତାହା ସତ୍ତ୍ବେ ଇଓଡବ୍ଲୁ ଭୋର୍ ୪ଟାରେ ମୋ ଘରେ ରେଡ୍ କରିବା ଆଶ୍ଚର୍ଯ୍ୟଜନକ । ସେମାନେ ଆସିବେ ବୋଲି ମୁଁ ଜାଣି ନ ଥିଲି । ମୁଁ ଭୁବନେଶ୍ବର ବାହାରେ ଥିଲି । ଆମେ ଇଓଡ୍ଲ୍ୟକୁ ସ୍ପଷ୍ଟ ଭାବେ ଆମ ସ୍ପଷ୍ଟୀକରଣ ଲେଖିକି ଜଣାଇଛୁ । କେବେ ବି କାହାକୁ ଠକିବା ଆମ ଉଦ୍ଦେଶ୍ୟ ନୁହେଁ । ଗଗନଦୀପ ପୁରୁଣା ଓ ଖରାପ କ୍ବାଲିଟିର ସାମଗ୍ରୀ ଦେଇ ନୂଆ ସାମଗ୍ରୀର ବିଲ୍ ଦେଇଛନ୍ତି । ଏ ସଂପର୍କରେ ‘ବଡ଼ ଖବର’ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।