ଭୁବନେଶ୍ୱର: ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ଗଗନଦୀପ ସିଂହ ଚାୱାଲା ପ୍ରାୟ କୋଟିଏ ଟଙ୍କା ଠକେଇ ଅଭିଯୋଗ ଆଣିବା ପରେ ତାଙ୍କ ନାଁରେ ବଡ଼ ଠକେଇର ନୂଆ ନୂଆ ମାମଲା ଯୋଡି ହେବାରେ ଲାଗିଛି । ଏଣେ ଅର୍ଦ୍ଧେନ୍ଦୁ ଅଜ୍ଞାତବାସରେ ଥାଇ ସାମ୍ବାଦିକମାନଙ୍କ ସହଯୋଗ ଲୋଡୁଥିଲେ ମଧ୍ୟ କାହାରି ସହଯୋଗ ପାଇନାହାନ୍ତି । ମାମଲାଟି ଓଡ଼ିଶା ମିଡ଼ିଆ ଜଗତରେ ହଇଚଇ ସୃଷ୍ଟି କରିଛି ।
ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଆଜି ଆଉ ଦୁଇଟି ଠକେଇ ଅଭିଯୋଗ ଆସିଛି । ଭୁବନେଶ୍ୱରରେ ଚାନେଲ୍ ଅଫିସ୍ କରିଥିବା ଘରର ଭଡ଼ା ପଇସା ଦେଉ ନ ଥିବା ଏବଂ ମାଗିଲେ ଧମକ ଦେଉଥିବା ବରଗଡ଼ ଥାନାରେ ଘର ମାଲିକ ଅଭିଯୋଗ କରିଛନ୍ତି । ସେହିଭଳି ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ବକେୟା ଦରମା ନ ଦେଇ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି । ବକେୟା ଦରମା ମାଗିବାରୁ ତାଙ୍କ ଲୋକମାନେ ଘରେ ପଶି ଭୟଭୀତ କରିଥିବା ମାମଲା ସାମନାକୁ ଆସିଛି ।
ବିଶ୍ୱଜିତ୍ ସାହୁଙ୍କ ଘରକୁ ଭଡ଼ାରେ ନେଇ ବଡ଼ ଖବର ଅଫିସ୍ କରିଛନ୍ତି ଅର୍ଦ୍ଧେନ୍ଦୁ ଦାସ । ଆଜି ବରଗଡ଼ ଥାନାରେ ଶ୍ରୀ ସାହୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ୫ ମାସ ହେଲା ଅର୍ଦ୍ଧେନ୍ଦୁ ତାଙ୍କୁ ଘରଭଡ଼ା ଦେଇନାହାନ୍ତି । ୬ ମାସର ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେଇନାହାନ୍ତି । ଇଲେକଟ୍ରିକ୍ ବିଲ୍ ବାବଦ ୯୦ ହଜାର ଟଙ୍କା ପୈଠ କରିନାହାନ୍ତି । ଏଭଳି ଭାବେ ୫ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ଉପରେ ଗଡୁଛି । ମାଗିଲେ ସେ ବିଭିନ୍ନ ଆଳ ଦେଖାଉଛନ୍ତି ଏବଂ ଚାନେଲ୍ ମାଲିକ ଖାତିରରେ ଧମକ ଦେଉଛନ୍ତି । ବକେୟା ଟଙ୍କା ଦେଇ ଘର ଛାଡ଼ି ଦେବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେଥିରେ ନିରାଶ ହୋଇ ଆଜି ବରଗଡ଼ ଥାନାରେ ଏତଲା ଦେଇଥିବା ଶ୍ରୀ ସାହୁ କହିଛନ୍ତି । ପୁଲିସ ଏହି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।
ସେହିଭଳି କଟକ ସିଡିଏ ସେକ୍ଟର-୨ରେ ରହୁଥିବା ଜନୈକା ପ୍ରୀତିମୟୀ ବିଶ୍ୱାଳ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ସଂସ୍ଥାରେ କାମ କରୁଥିବା ତାଙ୍କ ସ୍ୱାମୀ ଦୀପକ ବିଶ୍ୱାଳ ବକେୟା ଦରମା ମାଗିବାରୁ ଅର୍ଦ୍ଧେନ୍ଦୁଙ୍କୁ ଲୋକମାନେ ମଦ ପିଇ ରାତି ଅଧରେ ତାଙ୍କ ଘରେ ପଶି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି । ଗତ ଡିସେମ୍ବର ମାସରେ ସେ ମର୍କତନଗର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ଦୀପକ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଖବର ସଂଗ୍ରହ ଉପରେ ଗୁରୁତ୍ୱ ନ ଦେଇ ସଂସ୍ଥାରେ ଚାକିରି କରିଥିବା ତାଙ୍କ ଭଳି ସାମ୍ବାଦିକଙ୍କୁ ମୋଟା ବିଜ୍ଞାପନ ସଂଗ୍ରହର ଟାର୍ଗେଟ୍ ଦେଉଥିଲେ । ମାତ୍ର ସେ ବିଜ୍ଞାପନ ଟାର୍ଗେଟ୍ ପୂରଣ କରିବାରେ ସମର୍ଥନ ହେବାରୁ ତାଙ୍କୁ ୬ ମାସ ହେଲା ଦରମା ଦେଲେନାହିଁ । ତେଣୁ ସେ ଚାକିରି ଛାଡ଼ିଦେଇଥିଲେ ଏବଂ ବକେୟା ଟଙ୍କା ମାଗିବାରୁ ଧମକ ଦେଇଥିବା କହିଛନ୍ତି ।
ତେବେ ଏହି ଦୁଇଟି ଯାକ ଅଭିଯୋଗକୁ ମିଛ ବୋଲି ଫାଙ୍କିଛନ୍ତି ବଡ଼ ଖବର କର୍ତ୍ତୃପକ୍ଷ । ଅଫିସ ଭଡ଼ା ସେମାନେ ଠିକ୍ ରେ ପୈଠ କରୁଥିବା ଦାବି କରୁଥିବା ବେଳେ ପୂର୍ବତନ କର୍ମଚାରୀ ଦୀପକ ବିଶ୍ୱାଳ ସଂସ୍ଥାର କ୍ୟାମେରା ଓ ଟ୍ରାଇଫଏଡ୍ ନେଇଯାଇଥିବା କହିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା ବୋଲି ଚାନେଲ୍ ପକ୍ଷରୁ ପାଲଟା ସଫେଇ ଦିଆଯାଇଛି ।
ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଠକେଇ ଅଭିଯୋଗ ବଢ଼ି ଚାଲିଥିବା ବେଳେ ଆଜି ଅପରାହ୍ନରେ ବଡ଼ ଖବର ଅଫିସ୍ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଏକ ୫ ଜଣିଆ ଟିମ୍ ଅଫିସ୍ ରେ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଅର୍ଦ୍ଧେନ୍ଦୁ ଆଜି ମଧ୍ୟ ଉପସ୍ଥିତ ନ ଥିଲେ ।
ସୂଚନାଯୋଗ୍ୟ, ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ସଲୁ୍ୟସନ୍ ବ୍ରଡକାଷ୍ଟର୍ ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱାଲା ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ଇଓଡବ୍ଲୁ ପାଖରେ ଫେରାଦ ହୋଇଛନ୍ତି । ଚାନେଲ୍ ଯନ୍ତ୍ରାଂଶ କିଣା ବାବଦ ଏହି ବକେୟା ଟଙ୍କା ଅର୍ଦ୍ଧେନ୍ଦୁ ଦେଉ ନ ଥିବା ଅଭିଯୋଗ କରିଛନ୍ତି । ଶ୍ରୀ ଚାୱାଲା ଗତ ୨୩ ତାରିଖରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଇଓଡବ୍ଲୁ ପକ୍ଷରୁ ଦୁଇ ଦୁଇ ଥର ହାଜିରା ନୋଟିସ୍ ପରେ ଗତକାଲି ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ଇଓଡବ୍ଲୁ ରେଡ୍ କରିଥିଲା । ମାତ୍ର ସେ ଫେରାର ହୋଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଥିଲେ ।
ଅନ୍ୟପକ୍ଷରେ କଟକର ବ୍ୟବସାୟୀ ନିଶିଥ ଅଗ୍ରୱାଲ୍ ଗତକାଲି ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଏତଲା ଦେଇଥିଲେ । ଅଦେ୍ର୍ଧନ୍ଦୁ ତାଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କାର ପ୍ଲାଏ ବାକିରେ ଆଣିଥିଲେ । ମାତ୍ର ପ୍ରତିଶ୍ରୁତି ମୁତାବକ ସେହି ଟଙ୍କା ଦେଇନାହାନ୍ତି । ବାରମ୍ବାର ଟଙ୍କା ମାଗି ନିରାଶ ହେବା ପରେ ଶ୍ରୀ ଅଗ୍ରୱାଲ୍ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।