ଭୁବନେଶ୍ୱର: ଯୁଦ୍ଧ ତଥା ଉଗ୍ରବାଦର ମୁକାବିଲା ସମୟରେ ମୃତ୍ୟୁବରଣ କରୁଥିବା ସହିଦ ଓଡ଼ିଆ ଯବାନମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ଦ୍ୱିଗୁଣିତ ହୋଇଛି । ୫ ଲକ୍ଷରୁ ବୃଦ୍ଧି ପାଇ ଏହା ୧୦ ଲକ୍ଷ ଟଙ୍କା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ସାମରିକ ତଥା ଅର୍ଦ୍ଧ ସାମରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସରମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାରଗିଲ୍ ଯୁଦ୍ଧ ସମୟରୁ ସହିଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାରମ୍ଭରେ ଏହି ସହାୟତା ରାଶି ୧ ଲକ୍ଷ ଟଙ୍କା ଥିଲା । ପରବର୍ତ୍ତୀ ସମୟରେ ୨୦୧୦ ଓ ୨୦୧୨ ରେ ଏହାକୁ ଯଥାକ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।