ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ନାମାଙ୍କନପତ୍ର ଦାଖଲର ଶେଷ ଦିନ ମେ’ ୧୧ ତାରିଖ ରହିଛି । ମେ’ ୩୧ ତାରିଖରେ ଭୋଟ ଗ୍ରହଣ ହେବ । ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ । ଉପନିର୍ବାଚନ ବିଜ୍ଞପ୍ତି ସହ ଆଜିଠାରୁ ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।
ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବର୍ତ୍ତମାନ ଭୋଟର ସଂଖ୍ୟା ହେଉଛି ୨ ଲକ୍ଷ ୧୪ ହଜାର ୭୪୫ । ସେଥିମଧ୍ୟରେ ୩୫୧୯ ଭିନ୍ନକ୍ଷମ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୩୧୨୭ । ମେ’ ୧୧ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ସଂଶୋଧନ ହୋଇପାରିବ ।
୨୭୯ ବୁଥ୍ ରେ ଉପନିର୍ବାଚନ ଭୋଟ ଗ୍ରହଣ ହେବ । ଇଭିଏମ ରେ ମତଦାନ ହେବ ଏବଂ ଭୋଟରଙ୍କ ପାଇଁ ଭିଭିପାଟ୍ ବ୍ୟବସ୍ଥା ରହିବ । ଭିନ୍ନକ୍ଷମ ଏବଂ ବୟସ୍କ ଭୋଟର ଚାହିଁଲେ ଘରେ ରହି ଭୋଟ ଦେବେ । ଭୋଟ ଗ୍ରହଣ ବେଳେ କୋଭିଡ୍ ନିୟମର ଅନୁପାଳନ କରାଯିବ । କୋଭିଡ୍ ଲକ୍ଷଣ ଥିଲେ ଭୋଟର ଟୋକନ୍ ନେବେ ଏବଂ ମତଦାନର ଶେଷ ଘଣ୍ଟାକରେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।