ଭୁୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାଇଁ ଜଣାପଡ଼ିନାହିଁ । ଆସନ୍ତାକାଲି ସଂଧ୍ୟାରେ ଏହି ଚିତ୍ର ସ୍ପଷ୍ଟ ହୋଇପାରେ । ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହା ଜଣାଇବା ସତ୍ତ୍ୱେ ମିଡ଼ିଆରେ ସମ୍ଭାବ୍ୟ ବାତ୍ୟା ପ୍ରମୁଖ ଖବର ହୋଇ ରହିଛି । ଅନୁରୂପ ଭାବେ ରାଜ୍ୟ ସରକାର ବାତ୍ୟା ପ୍ରସ୍ତୁତି ବୈଠକକୁ ସାର୍ବଜନୀନ କରୁଥିବାରୁ ଲୋକେ ଭୀଷଣ ଆତଙ୍କିତ ହୋଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ସାମୟିକ ମୂଲ୍ୟ ବୃଦ୍ଧି ଘଟିବା ସହ କଳାବଜାରୀଙ୍କ ପ୍ରାର୍ଦୁଭାବ ବଢ଼ିଯାଇଛି ।
ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମକୁ ଗତି କରି ୮ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ । ୮ ତାରିଖ ପରେ ଏହାର ଗତିପଥ ସ୍ପଷ୍ଟ ହେବ । ଆଣ୍ଡାମାନ ସାଗରରେ ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶାଠାରୁ ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ପଡ଼ିବନି । ବାତ୍ୟା ହେବ କି ନାହିଁ ଓ ଏହାର ଗତିପଥ ଲଘୁଚାପ ପରେ ସ୍ପଷ୍ଟ ହେବ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦୋହରାଇଛନ୍ତି । ବାତ୍ୟା ହେବ କି ନାହିଁ, ଏହାର ସମୟ, ବେଗ ଓ ଜାଗା ସମ୍ପର୍କରେ କିଛି ବି ସୂଚନା ଜଣାପଡ଼ିନାହିଁ । ତେବେ ଯଦି ବାତ୍ୟା ହୁଏ, ଆମେ ପ୍ରସ୍ତୁତ ବୋଲି କହିଛନ୍ତି । ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ । ବିଶେଷକରି ଗଣମାଧ୍ୟମ ଏହି ଖବର ପରିବେଷଣ କଲା ବେଳେ ଅଧିକ ଯତ୍ନବାନ ହେବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।
ଏସଆରସି ଶ୍ରୀ ଜେନା କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି ସକାଳେ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ । ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ କଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏନଡିଆରଏଫ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ସହ ସମୀକ୍ଷା ବୈଠକ କରିଥିଲେ । ବାତ୍ୟା ମୁକାବିଲା ପାଇଁ ୧୭ ଏନଡିଆରଏଫ୍ ଟିମ୍, ୨୦ ଓଡ୍ରାଫ୍ ଟିମ୍ ଏବଂ ୧୭୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି । ବିଜୁଳି ସରବରାହ ବ୍ୟାଘାତ ନ ହେବା ପାଇଁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି । ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କ ସହ ମଧ୍ୟ ସେ ଆଲୋଚନା କରିଥିବା କହିଥିଲେ ।
ବାତ୍ୟା ପ୍ରଚାର ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସାଧୁ ବ୍ୟବସାୟୀମାନେ କଳା ବଜାର କରୁଥିବା ଅଭିଯୋଗ ଆସିବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଯଦି ଅଯଥାରେ କେହି ବୃଦ୍ଧି କରୁଥାଏ , ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଆରସି ଚେତାବନୀ ଦେଇଛନ୍ତି । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ବାତ୍ୟା ହେଲେ ବି ଏହାର ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।