ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି ନିରଞ୍ଜନ ସେଠୀ । ତଦନ୍ତରୁ ଏହା ସ୍ପଷ୍ଟ ହେବା ପରେ ଭଦ୍ରକ ପୁଲିସ ଆଜି ତାଙ୍କୁ ଗିରଫ କରିଛି । ଏହି ସେଠୀ ବାବୁ ହେଉଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) । ଗତ ଫେବ୍ରୁଆରୀ ୨୮ ତାରିଖରେ ସେ ଚାକିରିରୁ ଅବସର ନେଇଛନ୍ତି । ନିରଞ୍ଜନ ସେଠୀଙ୍କ ସହ ଅନ୍ୟତମ ଫେରାର ଅଭିଯୁକ୍ତ ରାଜ୍ ଓରଫ ରଞ୍ଜନ ନାୟକଙ୍କୁ ପୁଲିସ ଗିରଫ କରିଛି ।
ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ଦୟାଲ୍ ବୃଦ୍ଧାଶ୍ରମରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଅଞ୍ଚଳର ଏକ ପାହାଡ଼ ତଳେ ଶବକୁ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଜଘନ୍ୟ ଅପରାଧର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠା ହେଉଛନ୍ତି ‘ସମ୍ପୂର୍ଣ୍ଣ’ ନାମକ ୱେବ୍ ଚାନେଲ ମାଲିକାଣୀ ତଥା ଦୟାଲ୍ ବୃଦ୍ଧାଶ୍ରମର ପରିଚାଳିକା । ସେ ଏବେ ବି ଫେରାର ଅଛନ୍ତି । ଏହି ଘଟଣାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଆଜି ଗିରଫ ହେଲେ ନିରଞ୍ଜନ ସେଠୀ ଏବଂ ରଞ୍ଜନ ନାୟକ ।
ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ନିରଞ୍ଜନ ଓ ରଞ୍ଜନଙ୍କ ଗିରଫଦାରି ସମ୍ପର୍କରେ ସୂଚନା ଦେଇଛନ୍ତି । ମାମଲାରେ ନିରଞ୍ଜନ ସେଠୀଙ୍କ ସଂପୃକ୍ତି ସମ୍ପର୍କରେ ତାଙ୍କର ସୂଚନା ଦେହ ଥରାଇ ଦେଲା ଭଳି । ଭୁବନେଶ୍ୱରରେ ଥାଇ ସେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଭୁବନେଶ୍ୱରର ଦୟାଲ୍ ଆଶ୍ରମରେ ମାନସଙ୍କୁ ମାଡ଼ ମାରିବା ବେଳେ ସେ ଉପସ୍ଥିତ ଥିଲେ । ମାନସଙ୍କୁ ନୟାଗଡ଼ ଅଞ୍ଚଳର ଏକ ଜଙ୍ଗଲରେ ପୋତିବା ପଛରେ ତାଙ୍କର ଇଙ୍ଗିତ ଥିଲା । ମୋଟାମୋଟି ଭାବେ ମାନସଙ୍କ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ରରେ ନିରଞ୍ଜନ ସେଠୀ ପୂରାପୂରି ସାମିଲ ଥିଲେ ।








