ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଏବେ ବି ଫେରାର । ସେ ଏବେ କେଉଁଠି ପୁଲିସ ଜାଣିପାରୁନାହିଁ । ରାଜ୍ୟ ଭିତରେ ଓ ବାହାରେ ତିନୋଟି ସ୍ୱତନ୍ତ୍ର ପୁଲିସ ଟିମ୍ ବୁଲୁଥିଲେ ମଧ୍ୟ ଶର୍ମିଷ୍ଠାଙ୍କ ଟେର୍ ପାଉନି । ପେସାଦାର ଅପରାଧୀ ନ ହୋଇ ମଧ୍ୟ ଜଣେ ମହିଳା ପ୍ରାୟ ଦେଢ଼ମାସ ହେଲା ପୁଲିସକୁ ପାଣି ପିଆଉଛି । କୌଣସି ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ଶର୍ମିଷ୍ଠା ଆତ୍ମଗୋପନ କରିଥାଇପାରେ ବୋଲି ସାଧାରଣ ଲୋକଙ୍କ ସନେ୍ଦହ ବଢ଼ିଲାଣି ।
ଇତିମଧ୍ୟରେ ଶର୍ମିଷ୍ଠାଙ୍କ ଜଘନ୍ୟ କାରନାମା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଣମାଧ୍ୟମ ସାମନାକୁ ଆସିଛି । ଜଣେ ଜଣାଶୁଣା ମହିଳା ସମାଜସେବୀଙ୍କ ଛତ୍ରଛାୟାରେ ସେ ଏକ କ୍ରାଇମ୍ ସିଣ୍ଡିକେଟ୍ ଚଳାଉଥିବା ଏହି ତଥ୍ୟରୁ ବିଶ୍ୱାସ କରାଯାଉଛି । ଏହି ମହିଳା ସମାଜସେବୀ କୁଆଡ଼େ ଶର୍ମିଷ୍ଠାଙ୍କ ଗୁରୁ ମା’ । ରାଜଧାନୀର ଜଣେ ଡାକ୍ତର କିଛି ଗଣମାଧ୍ୟମକୁ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ଶର୍ମିଷ୍ଠା ଜଣେ ରୋଗୀଙ୍କ ଜରିଆରେ ସଂପୃକ୍ତ ଡାକ୍ତରଙ୍କୁ ବ୍ଲାକମେଲିଂ କରି ୫ ଲକ୍ଷ ଟଙ୍କା ଦାବି କରୁଥିଲେ । ଏଥସହ ପୁରୁଣା ଭୁବନେଶ୍ୱରରେ ଥିବା ଡାକ୍ତରଙ୍କର ଏକ ଜାଗାକୁ ହାତେଇବାକୁ ଚେଷ୍ଟା କରିଥିଲେ । ଏହି ଉଦ୍ୟମରେ ଗୁରୁ ମା’ ତାଙ୍କର ପ୍ରେରଣା ଥିଲେ ବୋଲି ଡାକ୍ତର ତାଙ୍କ ବୟାନରେ ସ୍ପଷ୍ଟ କରିଛନ୍ତି ।
ସମାଜସେବୀ ଭାବେ ପରିଚିତ ଏହି ଗୁରୁ ମା’ ଏକ ରାଜନୈତିକ ଦଳ ସହ ସଂପୃକ୍ତ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ତଥାକଥିତ ଗୁରୁ ମା’ କିଏ? ଏହା ଏବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି । ଡାକ୍ତରଙ୍କ ବୟାନ ଗଣମାଧ୍ୟମକୁ ଆସିବା ପରେ ପୁଲିସ ତାହାକୁ କିଭଳି ଗୁରୁତ୍ୱ ଦେଉଛି ତାହା ଏବେ ଦେଖିବାର କଥା ।
ସେମିତି, ଶର୍ମିଷ୍ଠାଙ୍କ ସହ କିଛି ନେତା ଓ ଅଫିସରଙ୍କ ନିବିଡ଼ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନାହିଁ । ସୋସିଆଲ୍ ମିଡ଼ିଆରେ ସେହି ସମ୍ପର୍କର ଫଟୋ ଭାଇରାଲ୍ ହେଉଥିବାରୁ ହୃତକମ୍ପନ ସୃଷ୍ଟି ହୋଇଛି । ସୁତରାଂ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ଶର୍ମିଷ୍ଠା ଆତ୍ମଗୋପନ କରିଥିବାର ବଦ୍ଧ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି ।
ସେପଟେ ପୁଅକୁ ନ୍ୟାୟ ଦେବା ପାଇଁ ମୃତ ମାନସର ମା’ ଯମୁନା ସ୍ୱାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରି ଜଣାଇଛନ୍ତି । ଏକମାତ୍ର ପୁଅକୁ ହରାଇ ଆମେ ନିସ୍ୱଃ ହୋଇଯାଇଛୁ । ବଞ୍ଚିବୁ କେମିତି ବୋଲି ସେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି । ଶର୍ମିଷ୍ଠା ରାଉତକୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ନିବେଦନ କରିଛନ୍ତି ।
ଶର୍ମିଷ୍ଠାଙ୍କ ମା’ କିନ୍ତୁ ତାଙ୍କ ଝିଅର ଏଭଳି କାର୍ଯ୍ୟକୁ ବିଶ୍ୱାସ କରିପାରୁନାହାନ୍ତି । ସେ କହିଛନ୍ତି ଝିଅ ବର୍ଷେ ହେଲା ଆମ ସହ ସମ୍ପର୍କରେ ନାହିଁ । ଯଦି ସେମିତି ଦୋଷ କରିଥିବ, ତାକୁ ଦଣ୍ଡ ମିଳୁ ବୋଲି ବୃଦ୍ଧା ମା’ ଗଣମାଧ୍ୟମକୁ କହିଛନ୍ତି ।
ସୂଚନାଥାଉକି, ମୃତ ମାନସଙ୍କ ମୋବାଇଲ୍ ଫୋନ୍ ଇତିମଧ୍ୟରେ ପୁଲିସ ହାତରେ ଲାଗିଛି । ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏହା ପଡ଼ିଥିଲା । ଜଣେ ପାନ ଦୋକାନୀ ଏହାକୁ ପାଇ ପୁଲିସକୁ ଦେଇଛନ୍ତି । ମାନସ ଅପହରଣ ଓ ହତ୍ୟାକାଣ୍ଡ ସମ୍ପର୍କରେ ଏହି ଫୋନ୍ ରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାରେ ପୁଲିସ ସକ୍ଷମ ହୋଇଥିବ ବୋଲି ବିଶ୍ୱାସ କରାଯାଉଛି ।