ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡ଼ିଆଙ୍କର ଏହି ପାରମ୍ପରିକ ଖାଦ୍ୟ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ସମସ୍ତଙ୍କର ଆଦୃତି ଲାଭ କରିଛି । ଆଜି ଓଡ଼ିଶାର ସହର ମଫସଲ ଘରେ ଘରେ ଲୋକେ ପଖାଳ ଖାଇ ଏହି ଦିବସକୁ ଆଦରର ସହ ପାଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଖାଳ ଦିବସ ପାଳିବାକୁ ଭୁଲିନାହାନ୍ତି । ପଖାଳ ଖାଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ଭୋଜନରେ ପଖାଳ ଖାଇଥିଲେ । କଦଳୀ ପତ୍ର ଉପରେ କଂସା ବାସନରେ ତାଙ୍କୁ ପରଷା ଯାଇଥିଲା ପଖାଳ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ । ବ୍ୟଞ୍ଜନରେ ଥିଲା ଶାଗ, ସଜନା ଛୁଇଁ, କଲରା ଭଜା, ଆଳୁ ଭଜା, ବଡ଼ି ଚୂରା, ମାଛ ଭଜା, ଲେମ୍ବୁ ଓ କଞ୍ଚାଲଙ୍କା । ପଖାଳ ମୋର ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଖାଳ ଖାଇବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।

ଦିଲ୍ଲୀରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଖାଳ ଖାଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂସା ବାସନରେ ପଖାଳ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଉଥିବାର ଫଟୋ ସୋସିଆଲ୍ ମିଡ଼ିଆରେ ସେ ନିଜେ ଛାଡ଼ିଛନ୍ତି । “ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ “ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତି ପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା’ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି ।








