ଭୁବନେଶ୍ୱର: ପିପିଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ସେ ଚିକିତ୍ସାଧୀନ ଥିଲେ । ତାଙ୍କୁ ୭୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
ପିପିଲିରେ ଯୁଧିଷ୍ଠିର ସାମନ୍ତରାୟ ଏବଂ ପ୍ରଦୀପ ମହାରଥୀ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଥିଲେ । ପରାକ୍ରମୀ ମହାରଥୀଙ୍କୁ ୧୯୯୫ ନିର୍ବାଚନରେ ସାମନ୍ତରାୟ ହରାଇ ଦେଇଥିଲେ । ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ଭାବେ ସେ ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ । ଏହାପୂର୍ବରୁ ୧୯୮୪ରୁ ୧୯୯୦ ପର୍ଯ୍ୟନ୍ତ ସେ ପିପିଲି ବ୍ଲକ୍ ଚେୟାରମ୍ୟାନ ଥିଲେ । ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ସେ ପତିଆରା ରଖିଥିଲେ ।
ଯୁଧିଷ୍ଠିର ସାମନ୍ତରାୟଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି ।