ଭୁବନେଶ୍ୱର: ଏକ ତେଲ ଫ୍ୟାକ୍ଟ୍ରି ମାଲିକଙ୍କୁ ଡରେଇ ବଟି ଆଦାୟ କରୁଥିବା ୬ ନକଲି ସାମ୍ବାଦିକଙ୍କୁ କମିଶନରେଟ୍ ଗିରଫ କରିଛି । ଏହି ନକଲି ସାମ୍ବାଦିକ ରାକେଟ୍ ର ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଛାନଭିନ୍ କରୁଛି । ନିଜକୁ ୱେବ୍ ଚାନେଲ୍/ ପୋର୍ଟାଲ୍ ସାମ୍ବାଦିକ ବୋଲାଇ ଏମାନେ ବଟି ଆଦାୟ କରିବା ସହ ଆତଙ୍କରାଜ ଚଳାଇଥିଲେ । ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
ସାରା ରାଜ୍ୟରେ ଗାଁରୁ ସହର ଯାଏଁ ଏବେ ଛତୁ ଫୁଟିଲା ଭଳି ୱେବ୍ ଚାନେଲ୍ ଓ ପୋର୍ଟାଲ୍ । ଅଳ୍ପ ଖର୍ଚ୍ଚରେ ଏହା ସମ୍ଭବ ହେଉଥିବାରୁ ଟାଉଟର୍ ଓ ଦଲାଲଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି । ସାମ୍ବାଦିକତାର ସାମାନ୍ୟତମ ଯୋଗ୍ୟତା ନ ଥାଇ ମଧ୍ୟ ପକେଟରେ ଖଣ୍ଡେ ପ୍ରେସ୍ କାର୍ଡ ଖଣ୍ଡେ ଏବଂ ଗାଡ଼ିରେ ପ୍ରେସ୍ ଷ୍ଟିକର୍ ମାରିଦେଇ ଅନେକ ନିଜକୁ ସାମ୍ବାଦିକ ବୋଲାଉଛନ୍ତି । କିଛି ବ୍ୟକ୍ତି ଆଉ ଦୁଇପାଦ ଆଗକୁ ଯାଇ ଗୋଟେ ଗୋଟେ କ୍ୟାମେରା ଓ ବୁମ୍ ଧରୁଛନ୍ତି । ଅମୁକ ଚାନେଲ୍ ର ସାମ୍ବାଦିକ କହି ବ୍ଲାକମେଲିଂକୁ ରୋଜଗାରର ମାଧ୍ୟମ କରିଛନ୍ତି ।
ଖୋଦ୍ ରାଜଧାନୀର ରାସ୍ତାଘାଟ, ଗଳିକନ୍ଦିରେ ପ୍ରେସ୍ ଷ୍ଟିକର୍ ଲଗା ମାଳ ମାଳ ଗାଡ଼ି ବୁଲୁଥିବାର ଦେଖିବାକୁ ମିଳୁଛି । କେଉଁ ମିଡ଼ିଆରେ କାମ କରୁଛନ୍ତି ପଚାରିଲେ ୱେବ୍ ପୋର୍ଟାଲ୍ ବୋଲି କହୁଛନ୍ତି । ବରଗଡ଼ ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ କହିବାନୁଯାୟୀ, ତାଙ୍କ ପଡୋଶୀ ଘରକୁ ଅଧିକାଂଶ ସମୟରେ ଜଣେ ଯୁବକ ପ୍ରେସ୍ ଲେଖାଥିବା କାର୍ ନେଇ ଆସୁଥିଲେ । ଥରେ କୌତୁହଳବଶତଃ ତାଙ୍କୁ ପଚାରିଥିଲେ କେଉଁ ମିଡ଼ିଆରେ କାମ କରୁଛନ୍ତି? ଯୁବକଜଣଙ୍କ ଉତ୍ତର ଥିଲା, ମାମୁଁଙ୍କର ଗୋଟେ ୱେବ୍ ଚାନେଲ୍ ଅଛି । ପେଶାରେ ତାଙ୍କ ମାମୁଁ ଜଣେ ବିଲଡର୍ ବୋଲି ନିଃସଙ୍କୋଚରେ ସେ କହିଥିଲେ । ସୁତରାଂ ବିଲଡର ମାମୁଁଙ୍କର ୱେବ୍ ଚାନେଲ୍ ଅଛି ବୋଲି ଭଣଜା ନିଜ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି । ଏହା ହେଉଛି ଆଜିକାର ଅବସ୍ଥା ।
ୱେବ୍ ନାଁରେ ନକଲି ସାମ୍ବାଦିକତାର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି । କିଛି ପୋର୍ଟାଲ୍ ସେକ୍ସ ଭିତ୍ତିକ ଖବର କରୁଛନ୍ତି ତ ଆଉ କିଛି ସମ୍ପୂର୍ଣ୍ଣ ଅବାସ୍ତବ ଖବର ଲେଖୁଛନ୍ତି । କିଛି ସେଲିବ୍ରିଟ୍ ମାନଙ୍କ ନାଁରେ ନିହାତି ମିଛ ଖବର ଲେଖି ଗୁଜବ ତିଆରି କରୁଛନ୍ତି । କିଛି ୱେବ୍ ପୋର୍ଟାଲ୍ ରେ କେବଳ ଚାଞ୍ଚଲ୍ୟକର ଶିରୋନାମା ଦେଖିବାକୁ ମିଳୁଛି । ସେଥିରେ ବିଷୟବସ୍ତୁ ବୋଲି କିଛି ରହୁନାହିଁ । ୱେବ୍ ପୋର୍ଟାଲ୍ ନାଁରେ ଏଭଳି ଭୟଙ୍କର ଫାଜିଲାମି ସାମ୍ବାଦିକତାକୁ ତଳିତଳାନ୍ତ କରିବା ସହ ସମାଜକୁ ନଷ୍ଟଭ୍ରଷ୍ଟ କରୁଛି । ମୋବାଇଲ୍ ଧରୁଥିବା ଛୋଟପିଲାଙ୍କୁ ବିପଦଥଗାମୀ କରିବାର ଯଥେଷ୍ଟ ଆଶଙ୍କା ରଖୁଛି ।
ଆଶ୍ଚର୍ଯ୍ୟ କଥା ହେଉଛି, ଏହି ନକଲି ସାମ୍ବାଦିକତା ଉପରେ ସରକାରୀ କଟକଣା ନାହିଁ କି ସାମାଜିକ ପ୍ରତିବନ୍ଧକ ନାହିଁ । ଡିଜିଟାଲ୍ ମିଡ଼ିଆ ର ଗୁରୁତ୍ୱ ବୁଝୁଥିବା ସରକାର ସମ୍ପୂର୍ଣ୍ଣ ନିଦାବିଷ୍ଣୁ ସାଜିଛନ୍ତି । ନା କେନ୍ଦ୍ର ସରକାର, ନା ରାଜ୍ୟ ସରକାରଙ୍କର ଏଥିପାଇଁ କୌଣସି ଯୋଜନା ଅଛି । କଟକଣା ନଥିବାରୁ ନକଲିମାନଙ୍କର ଭିଡ଼ ବଢ଼ିବା ବି ସ୍ୱାଭିବକ । ସାମ୍ବାଦିକତାର ପାଠ ବୁଝି ନ ଥିବା ଏହି ନକଲିମାନେ ପୂରା ଲଗାମଛଡ଼ା ହୋଇ ପସରା ମେଲାଇଛନ୍ତି । ଏମାନଙ୍କୁ ସହଜରେ ସାବାଡ୍ କରାଯାଇପାରିବ ସେ ଆଶା ଦେଖୁନାହାନ୍ତି ଅସଲି ସାମ୍ବାଦିକ ମହଲ ।
ଦୁର୍ଭାଗ୍ୟ ଯେ ନକଲିଙ୍କ କାର୍ଯକଳାପ ସାମ୍ବାଦିକତାର ଗାରିମା କ୍ଷୂର୍ଣ୍ଣ କରିବା ସହ ଅସଲି ସାମ୍ବାଦିକଙ୍କ ମର୍ଯ୍ୟାଦା ହାନି କରୁଛି । ସାମ୍ବାଦିକ ପେସା ପ୍ରତି ଲୋକଙ୍କ ସମ୍ମାନବୋଧ ରହୁନାହିଁ । ଅନେକ ପେଶାଦାର ସାମ୍ବାଦିକ ପରିବାରପୋଷଣ ପାଇଁ ସଂଘର୍ଷରେ ବଞ୍ଚିଥିଲେ ବି ଅନୀତି ଉପାୟରେ ପଇସା ରୋଜଗାରର ଧାର ଧରନ୍ତିନି । ନିଜ ସମ୍ମାନକୁ ଜଗି ସେମାନେ ନିଷ୍ଠାର ସହ କାମ କରୁଛନ୍ତି । ଏଭଳି ସାମ୍ବାଦିକଙ୍କ ସଂଖ୍ୟା ବହୁତ । ମାତ୍ର ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ଯୋଗୁଁ ସାମ୍ବାଦିକତାରେ ଲାଗୁଥିବା କଳଙ୍କରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏମାନଙ୍କ ସମ୍ମାନବୋଧ ଆଘାତ ହେଉଛି । ସରକାରୀ ଅଙ୍କୁଶ ନ ଲାଗିଲେ ଏଥିରୁ ମୁକୁଳିବା ସେମାନଙ୍କ ପାଇଁ କଷ୍ଟକର ।
କିଛି ବରିଷ୍ଠ ସାମ୍ବାଦିକଙ୍କ ମତରେ, ସରକାରୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି ନକଲି ସାମ୍ବାଦିକଙ୍କୁ ବୟକଟ୍ କରିବାର ଦାୟିତ୍ୱ ଏବେ ଅସଲି ସାମ୍ବାଦିକମାନେ ନେବା ଉଚିତ୍ । ଗାଁଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଖବରକାଗଜ ଓ ଟିଭିରେ କାମ କରୁଥିବା ସାମ୍ବାଦିକମାନଙ୍କ ପାଇଁ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରିବାରେ ଅସୁବିଧା ନାହିଁ । ଏହି ନକଲିମାନଙ୍କୁ ପାଖ ପୂରାଇ ନ ଦେଲେ ଆପେ ଆପେ ସେମାନଙ୍କର ଭାଉ ରହିବିନି । ବଳେ ସାବାଡ ହୋଇଯିବେ । ଜନସାଧାରଣ ଏଥିପ୍ରତି ସଚେତନ ରହିବା ସହ ନକଲି ସାମ୍ବାଦିକଙ୍କୁ ପୁଲିସରେ ଧରାଇବାରେ ସହଯୋଗ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।
Some use my name telecasting sensitised weather forecast that is not my version. It is not only mis-informatiin and unethical but also disgrace to me several times