ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି । ଦୁଇ ଆଇଏଏସ୍ ଙ୍କୁ ନୂତନ ନିଯୁକ୍ତି ମିଳିଥିବା ବେଳେ ତିନି ଆଇଏଏସ୍ ଙ୍କୁ ସେମାନଙ୍କ ମୂଳ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭାଲଙ୍କୁ ଓଏସଏଏମ୍ ବୋର୍ଡର ସଦସ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହ ଟିଡିକଲ ଏମଡି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ତଥା ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କଠାରୁ ସିଡ଼ିଏର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି । ଏହି ଦାୟିତ୍ୱ ଦିଆଯାଇଛି ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥନନଙ୍କୁ । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ଶ୍ରୀ ମାଥିଭାଥନନ ସିଡ଼ିଏ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସଂସଦୀୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ସମ୍ଭାଳୁଛନ୍ତି ।
୨୦୧୪ ବ୍ୟାଚ୍ ଆଇଏଏସ୍ ଡକ୍ଟର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସେ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି ।