ଭୁବନେଶ୍ୱର: ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏହାପୂର୍ବରୁ ବିରୋଧୀ ଦଳକୁ ବାଚସ୍ପତି ସୁରମା ପାଢ଼ୀଙ୍କ ଚେତାବନୀ ଏବଂ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କର ପାଲଟା ଚେତାବନୀ ରାଜନୈତିକ ମାହୋଲକୁ ସରଗରମ କରିଛି ।
ଆଗାମୀ ବିଧାନସଭା ଅଧିବେଶନରେ ବିରୋଧୀ ଦଳର ଆଚରଣ କେମିତି ହେବା ଦରକାର ବାଚସ୍ପତି ଶ୍ରୀମତୀ ପାଢ଼ୀ ଆଜି ତାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତବ୍ୟ ଛଳରେ ବିରୋଧୀଙ୍କୁ ସେ ଚେତାବନୀ ଦେଇଛନ୍ତି । କହିଛନ୍ତି ଯେ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବନି । ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ତାହା ଉପାଦେୟ ହେବ । ମାତ୍ର ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ।
ତେବେ ବାଚସ୍ପତିଙ୍କ ଏହି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବର୍ତ୍ତମାନର ବାଚସ୍ପତି ପଦମର୍ଯ୍ୟାଦା ରଖୁନାହାନ୍ତି । ବାଚସ୍ପତି ପଦର ଗାରିମା ରହିଛି । ଏହି ପଦରେ ବସିଥିବା ବ୍ୟକ୍ତି କୌଣସି ଦଳର ପ୍ରତିନିଧିତ୍ୱ କରନ୍ତି ନାହିଁ । କିନ୍ତୁ ତାଙ୍କର ଏହି ମନ୍ତବ୍ୟ ବିଜେପି ଦଳର ମନ୍ତବ୍ୟ ପରି ମନେ ହେଉଛି । ତାଙ୍କ ମନ୍ତବ୍ୟରେ ସେ ବିରୋଧୀ ଦଳକୁ ଧମକ ଦେଲା ପରି ମନେ ହେଉଛି । ବିରୋଧୀ ଦଳକୁ ନାଲି ଆଖି ଦେଖାଇ ସ୍ୱର ବନ୍ଦ କରିପାରିବେ ନାହିଁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।