ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦେଶଦ୍ରୋହୀ ସଜାଇ ତାଙ୍କ ବିରୋଧରେ ବିଷ ମଞ୍ଜି ବୁଣିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଏଜେଣ୍ଡା ହୋଇଛି । ଏହି ଗୋଷ୍ଠୀ ସୋସିଆଲ୍ ମିଡିଆକୁ ଏବେ ପ୍ରଚାରର ଆୟୁଧ କରିଛନ୍ତି । ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ଲାଗି ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଗତକାଲିଠାରୁ ସୋସିଆଲ୍ ମିଡିଆରେ ଘୁରୁଥିବା ଏଭଳି ଏକ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲାଣି । ଆଜି ସହିଦ ନଗର ଥାନାରେ ଛାତ୍ର କଂଗ୍ରେସ ନେତାମାନେ ଏ ନେଇ ଏତଲା ଦେଇଛନ୍ତି ।
ସୋସିଆଲଟକସ୍ ନାମକ ଏକ ଫେସବୁକ୍ ପେଜ୍ ରେ ଏହି ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି । ସେଥିରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଦେଶଦ୍ରୋହୀ ଏବଂ ତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶପ୍ରେମୀ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରାଯାଇଛି । ନାଥୁରାମଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିବାକୁ ବି ପଛାଇନାହାନ୍ତି । ଭାରତ ମାତା କି ଜୟ ଏବଂ ନାଥୁରାମ ଗଡସେ ଜିନ୍ଦାବାଦ ହାସଟାଗ୍ ରେ ହିନ୍ଦୁତ୍ୱ ଓ ଅଖଣ୍ଡ ଭାରତର ସୁରକ୍ଷା କଥା କୁହାଯାଇଛି । ଏହି ଲେଖା ସହ ନାଥୁରାମ ଗଡସେଙ୍କ ଜନ୍ମଜୟନ୍ତୀ ପାଳନ ଏବଂ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଥିବାର ଫଟୋ ସେୟାର୍ କରାଯାଇଛି ।
ଜାତିର ପିତାଙ୍କ ପ୍ରତି ଏଭଳି ଭୟଙ୍କର ଅପମାନ ଏବଂ ଅସମ୍ମାନକୁ ଯୁବ କଂଗ୍ରେସର କିଛି ନେତା ଗ୍ରହଣ କରିପାରିନାହାନ୍ତି । ଧାର୍ମିକ ବିଦ୍ୱେଷ ସୃଷ୍ଟି ଏବଂ ନାଥୁରାମଙ୍କୁ ଦେଶପ୍ରେମୀ ଦର୍ଶାଇଥିବା ସଂପୃକ୍ତ ଫେସବୁକ୍ ପେଜ୍ ସଂଚାଳକ ତଥା ୟୁ ଟ୍ୟୁବର୍ ପ୍ରକାଶ ନାୟକ(୨୬)ଙ୍କ ବିରୋଧରେ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ।







