ଭୁବନେଶ୍ୱର: ବନ୍ଦେ ଭାରତ ଏକ୍ସପ୍ରେସ୍ ଓଡ଼ିଶାରେ ଗଡ଼ିବାର ଆଜି ଚତୁର୍ଥ ଦିନରେ ଅଘଟଣ ଘଟିଛି । ହାୱଡା ଯାତ୍ରା କରୁଥିବା ଏହି ଟ୍ରେନ୍ କାଳବୈଶାଖୀ ମାଡ଼ରେ ଦରମରା ହୋଇଯାଇଛି । ଯାଜପୁରର ମଞ୍ଜୁରୀ ରୋଡ୍ ଷ୍ଟେସନ୍ ନିକଟ ବୈତରଣୀ ବ୍ରିଜ୍ ଉପରେ ଅଟକି ରହିଛି ଟ୍ରେନ୍ । ଟ୍ରେନ୍ ଉପରେ ଗଛ ପଡ଼ି ତାର ଛିଣ୍ଡି ଯିବା ସହ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏସି ଅଚଳ ଏବଂ ଟ୍ରେନ୍ ଡୋର୍ ଲକ୍ ହୋଇଯିବାରୁ ଯାତ୍ରୀମାନେ ଅଣନିଶ୍ୱାସୀ ଅବସ୍ଥାରେ ଭଗବାନଙ୍କୁ ଡାକିଛନ୍ତି । ଇଞ୍ଜିନରୁ ବିଦ୍ୟୁତ ତାରକୁ ସଂଯୋଗ ଯନ୍ତ୍ରାଂଶରେ ତ୍ରୁଟିକୁ ସଜାଡ଼ିବା ପାଇଁ ଭଦ୍ରକରୁ ଟେକ୍ନିକାଲ୍ ଟିମ୍ ଆସିଥିଲେ ।
ପୁରୀରୁ ହାୱଡା ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ଅପରାହ୍ନ ପ୍ରାୟ ୪.୨୦ ମିନିଟ୍ ରେ ବୈତରଣୀ ରୋଡ୍ ଅତିକ୍ରମ କରୁଥିଲା ବେଳେ କାଳବୈଶାଖୀ ମାଡ଼ି ଆସିଥିଲା । ଜୋର ପବନ, ଘଡ଼ଘଡ଼ି ଓ ବିଜୁଳିରେ ଥରହର ହୋଇଥିଲା ଟ୍ରେନ । ଇଲେକଟ୍ରିକ୍ ତାର ସମ୍ପୂର୍ଣ୍ଣ ଜଳିଯାଇଥିଲା । ପ୍ରବଳ ପବନ ସାଙ୍ଗକୁ ଟ୍ରେନ୍ ରେ ଘନ ଘଡ଼ ବିଜୁଳି ମାଡ଼ ହେବାରୁ ଏହା ଟ୍ରାକ୍ ଉପରକୁ ଉଠି କଚାଡ଼ି ହେଉଥିବା ଜଣେ ଯାତ୍ରୀ କହିଛନ୍ତି । ସେତିକିବେଳେ ଏକ ବିରାଟ ଗଛ ଉଡ଼ିଆସି ପ୍ରବଳ ଶବ୍ଦ ସହ ଟ୍ରେନ୍ ଉପରେ ପଡ଼ିବାରୁ ତାର ସବୁ ଛିଣ୍ଡି ଗୁଡ଼େଇ ହୋଇଯାଇଥିଲା । ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବାରୁ ଇଞ୍ଜିନ୍ ବନ୍ଦ ହୋଇ ଭିତର ଅନ୍ଧାର ହୋଇଗଲା । ଟ୍ରେନ୍ ଆଗକୁ ଗଡ଼ିପାରିଲାନି ।
ରିପୋର୍ଟ ଲେଖା ହେଲା ବେଳକୁ ଟ୍ରେନ୍ ମରାମତି କାମ ସରି ନ ଥିବା ଜଣାପଡ଼ିଛି । ଟ୍ରେନ୍ ଅଟକି ରହିଥିବା ଜାଗାଟି ସମ୍ପୂର୍ଣ୍ଣ ଅନ୍ଧାର ହୋଇଥିବା ବେଳେ ବିଜୁଳି ନ ଥିବାରୁ ବଗି ଭିତରେ ଯାତ୍ରୀମାନେ ସମ୍ପୂର୍ଣ୍ଣ ଅନ୍ଧକାରରେ ଅଛନ୍ତି । ଗରମରେ ସଢ଼ୁଛନ୍ତି । ଟଏଲେଟ୍ ରେ ପାଣି ଟୋପେ ନାହିଁ । ସେହି ଅଞ୍ଚଳରେ ମୋବାଇଲ୍ ଟାୱାର ନ ଥିବାରୁ ଫୋନ୍ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇପାରୁନି ।
ଶେଷ ଖବର ଅନୁଯାୟୀ ଦୀର୍ଘ ସାଢ଼େ ତିନି ଘଣ୍ଟା ଅଟକି ରହିବା ପରେ ରାତି ୮ଟା ୫ ରେ ବନ୍ଦେ ଭାରତ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି ।