ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ଏଥିରେ ପ୍ରଶାସନିକ ବ୍ୟୟବରାଦ ୪,୯୩୪ କୋଟି ଥିଲା ବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୨,୬୧୦.୪୬ କୋଟି ଏବଂ ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ବାବଦରେ ରହିଛି ୫୫.୫୪ କୋଟି ଟଙ୍କା ।
ଅତିରିକ୍ତ ବଜେଟ୍ ରେ କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୮୬୭ କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ମୋଟ ୧୭୨ କୋଟି, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ୪୩୮ କୋଟି ଏବଂ ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨,୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଗ୍ରାମୀଣ ଗୃହ ନିର୍ମାଣ, କର୍ମ ନିଯୁକ୍ତି, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ୫୫୨ କୋଟି, ସହରାଞ୍ଚଳ ଉନ୍ନୟନ ପାଇଁ ୭୮୨ କୋଟି, ଶକ୍ତି, ସୂଚନା, ପ୍ରଯୁକ୍ତ. ବାଣିଜ୍ୟ, ପରିବହନ ଏବଂ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରଗୁଡ଼ିକ ପାଇଁ ୩୮୮ କୋଟି ଏବଂ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ମୋଟ ୧୨୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଅପରାହ୍ନ ଅଧିବେଶନରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ହୋ ହଲ୍ଲା ଓ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ମାମଲାରେ ଓଡ଼ିଶା ପୁଲିସର ତଦନ୍ତ ବିଫଳତାକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ ।
ଆଜି ବିଧାନସଭା ଆରମ୍ଭରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ସଦସ୍ୟ ଥିବା ୬ ଜଣ ଦିବଙ୍ଗତ ନେତାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସେହି ଦିବଙ୍ଗତ ନେତାମାନେ ହେଲେ ବିଜୟ ରଞ୍ଜନ ସିଂ ବରିହା, ବିଷ୍ଣୁ ଚରଣ ସେଠୀ, ଗୋଲକ ବିହାର ନାୟକ, କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ, ଆଦିକନ୍ଦ ସେଠୀ । ସ୍ୱର୍ଗତଃ ନେତାମାନଙ୍କ ପ୍ରତି ସ୍ମୃତିଚାରଣ ପରେ ସର୍ବସମ୍ମତିକ୍ରମେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା ।