ଭୁବନେଶ୍ୱର: ମହାନଦୀରେ ମାଡ଼ି ଆସୁଛି ବନ୍ୟା । ଆସନ୍ତା ଶନିବାର ସକାଳେ ମୁଣ୍ଡଳୀଠାରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ଏହି ବନ୍ୟା ମଧ୍ୟମ ଧରଣର ସମ୍ଭାବନା ଥିବାରୁ ବିଶେଷ ଆତଙ୍କିତ ହେବାର କାରଣ ନାହିଁ । ପରିସ୍ଥିତିକୁ ନଜରରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଆଶ୍ୱାସନା ଦେଇଛନ୍ତି ।
ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହିଛି । ଏଥିଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । ଏବେ ହୀରାକୁଦକୁ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପଶୁଥିବା ବେଳେ ୪.୮୦ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦର ୨୮ ଟି ଗେଟ୍ ରେ ପାଣି ଛଡ଼ାଯାଉଛି । ଆସନ୍ତା ଶନିବାର ସକାଳୁ ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ । କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡ଼ିବ ।
ସମ୍ଭାବ୍ୟ ବନ୍ୟାକୁ ଆଖିରେ ରଖି ଉପକୂଳ ୬ ଟି ଜିଲ୍ଲାରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ କୁ ଆଲର୍ଟ କରାଯାଇଛି । ଓଡ୍ରାଫ୍ ର ୩୦ଟି ଟିମ, ଏନଡିଆରଏଫ ର ୧୨ ଟିମ, ଅଗ୍ନିଶମ ବିଭାଗର ୧୦ ଟି ଟିମ୍ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ମୁତୟନ ହୋଇଛନ୍ତି ।
ଏସଆରସି କହିଛନ୍ତି, ବୈତରଣୀର ଜଳସ୍ତର ବଢ଼ିଥିଲେ ମଧ୍ୟ ବିଶେଷ କ୍ଷତି ହେବନାହିଁ । ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଫଳରେ ଜଳସ୍ତର ବଢ଼ିଛି । ଯାଜପୁର ଓ ଭଦ୍ରକରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ କହିଛନ୍ତି, ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହେବ ଏବଂ ବନ୍ୟା ଜଳ ନଦୀ ବନ୍ଧ ଭିତରେ ରହିବା ଆକଳନ କରାଯାଇଛି । ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ । ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷକ୍ରସନ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି । ତେବେ ସମ୍ଭାବ୍ୟ ପରିସ୍ଥିତି ପାଇଁ ୭ରୁ ୧୦ ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ଜଳସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ।