ଭୁବନେଶ୍ୱର: ପ୍ରବଳ ବର୍ଷା ଓ ବନ୍ୟାରେ ବେହାଲ ହୋଇଯାଇଛି ଅଧା ଓଡ଼ିଶା । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇଯାଇଛି ଜନଜୀବନ । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସମ୍ବଲପୁରରେ ବର୍ଷା ନେଇଆସିଛି ସାଂଘାତିକ ବନ୍ୟା । ସେହି ଜିଲ୍ଲାଗୁଡ଼ିକରେ ତାଣ୍ଡବ ରଚିଛି ବନ୍ୟା । ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ ଓ ଜଳକା ନଦୀରେ ବନ୍ୟା ଜଳ ଉଛୁଳିଛି । ଉତ୍ତର ଓଡ଼ିଶାରେ ଛୋଟମୋଟ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦରେ ବୈତରଣୀ ବନ୍ୟାଜଳ ବିପଦ ସଙ୍କେତର ବହୁ ଉପରେ ପ୍ରବାହିତ ହେଉଛି । ଜଳକା ଓ ବୁଢ଼ାବଳଙ୍ଗ ନଦୀ ମଧ୍ୟ ବିପଦ ସଙ୍କେତ ଅତିକ୍ରମ କରିଛି ।
ବର୍ଷା ବିତ୍ପାତ ଯୋଗୁଁ ୩ ଜଣଙ୍କର ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି । କେନ୍ଦୁଝରରେ ଏହି ତିନୋଟି ଯାକ ଅଘଟଣ ଘଟିଛି । ଜଣେ ଅଗ୍ନିଶମ କର୍ମଚାରୀ ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରେ କାନ୍ଥ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଛୋଟ ପିଲା ପାଣିରେ ଭାସିଯାଇଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍., ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଜଳ ସମ୍ପଦ ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ବର୍ତ୍ତମାନର ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ସ୍ୱାସ୍ଥ୍ୟ ସେବାର ପ୍ରସ୍ତୁତି, ନଦୀଗୁଡ଼ିକର ଜଳସ୍ତର, ପାଣିପାଗ ପୂର୍ବାନୁମାନ ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ସମୀକ୍ଷା କରାଯାଇଥିଲା।
ରାଜସ୍ୱ ମନ୍ତ୍ରୀ ସୂଚନା ଅନୁଯାୟୀ, ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଅପରାହ୍ନ ସୁଦ୍ଧା ୪୪ଟି ବ୍ଲକ୍, ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି। ୨ ଲକ୍ଷ ୩ ହଜାର ୨୦୮ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୨୨୬ଟି ଗାଁ ଜଳବନ୍ଦୀ ହୋଇଛି । ୭,୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ପ୍ରାୟ ୩୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତରଣ କରାଯାଇଛି।
ସମସ୍ତ ରିଲିଫ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ସ୍ୱଚ୍ଛ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆବଶ୍ୟକ ସ୍ଥଳରେ ଶୁଖିଲା ରାସନ ବଣ୍ଟନ କରାଯାଉଛି। ଶିଶୁ, ମହିଳା ଓ ବୟସ୍କମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ସୁରକ୍ଷା ପାଇଁ ରିଲିଫ କେନ୍ଦ୍ରଗୁଡ଼ିକରେ ମହିଳା ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରାଯାଇଛି। ମେଡିକାଲ ଟିମ୍ ମୁତୟନ କରାଯାଇଥିବାବେଳେ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି ଏବଂ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଜରୁରୀ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି।
ସର୍ବଶେଷ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ରଖାଯାଇଛି। ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଉଦ୍ଧାରକାରୀ ଦଳ, ଜରୁରୀ ଉପକରଣ ଓ ରିଲିଫ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୭ଟି ଏନଡିଆରଏଫ ଟିମ୍, ଓଡ୍ରାଫ୍ ଟିମ୍ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କ୍ଷେତ୍ରସ୍ତରରେ ପରିସ୍ଥିତିର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିବାବେଳେ ସମସ୍ତ ସରକାରୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର ହେବା ଏବଂ ଜରୁରୀ ସହାୟତା ପାଇଁ ୧୧୨ ନମ୍ବରକୁ ଯୋଗାଯୋଗ କରିବାକୁ କରାଯାଇଛି ।