ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ କମଳା ଦାସ ଆଉ ନାହାନ୍ତି । କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ସେ ଆଖି ବୁଜିଦେଇଛନ୍ତି । ତାଙ୍କୁ ୭୯ ବର୍ଷ ହୋଇଥିଲା । ଡା. ଦାସଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସବୁ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି ।
ଡା. କମଳା ଦାସ ଦୁଇ ସପ୍ତାହ ତଳେ ଭୁବନେଶ୍ୱରସ୍ଥିତ ତାଙ୍କ ସହିଦନଗରସ୍ଥିତ ବାସଭବନରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ନିରୀକ୍ଷା ପରେ ସେ ଫୁସଫୁସ୍ ସଂକ୍ରମଣରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ୧୨ ଦିନ ତଳେ ତାଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତକାଲି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।
କଟକ ଏସସିବିରେ ଡାକ୍ତର ଥିବା ଶ୍ରୀମତୀ ଦାସ ୧୯୯୦ ମସିହାରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ସେଥର ଭୋଗରାଇରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୧୯୯୫ ରେ ସେହି ଜନତା ଦଳରୁ ଏବଂ ୨୦୦୦ ମସିହାରେ ବିଜେଡି ଟିକେଟ୍ ରେ ବିଧାୟକ ହୋଇଥିଲେ । ଉଭୟ ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ ।