ପୁରୀ: କରୋନା ଦୃଷ୍ଟିରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ, ପୁଲିସ ଏବଂ ମନ୍ଦିର କର୍ମଚାରୀଙ୍କୁ ଚାରି ଚାରି ଥର ଆରଟି-ପିସିଆର ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ସେବାରେ ଯୋଗଦେବାର ୪୮ ଘଣ୍ଟା ପୂର୍ବରୁ ଏମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ ।
ଚାରୋଟି ପର୍ଯ୍ୟାୟରେ ଯଥା ସ୍ନାନଯାତ୍ରା ପୂର୍ବରୁ, ଗୁଣ୍ଡିଚା ପୂର୍ବରୁ, ବାହୁଡା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରି ବିଜେର ୧୫ ଦିନ ପରେ କୋଭିଡ୍ ଟେଷ୍ଟ କରାଯିବ । ଏଥିସହ ସେବାୟତ ଏବଂ ସଂପୃକ୍ତ ଅଧିକାରୀମାନଙ୍କ ଟିକାକରଣ ଉପରେ ଧ୍ୟାନ ଦିଆଯିବ । ଏହିସବୁ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଏବଂ ସିଡିଏମଓଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା ପାଇଁ ଜଣେ ନୋଡାଲ୍ ଅଫିସର ନିଯୁକ୍ତି ହେବେ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ଜରିଆରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷର ରଥଯାତ୍ରା ସମୟରେ କୋଭିଡ୍ ପରିଚାଳନା ସହ ଜଡ଼ିତ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହିସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ସହ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମଓ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।