ଭୁବନେଶ୍ୱର: କରୋନା ଯୋଗୁଁ ଚଳିତବର୍ଷର ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲା ବେଳେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପଦ୍ଧତି ଏବଂ ରେଜଲ୍ଟ ସଂକ୍ରାନ୍ତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।
ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ମୂଲ୍ୟାୟନ ସେମାନଙ୍କ ମାଟ୍ରିକ୍ ପରୀକ୍ଷା ନମ୍ବରକୁ ଆଧାର କରାଯିବ । ସେହିଭଳି ଏକ୍ସ ରେଗୁଲାର୍ ପିଲାଙ୍କ କ୍ଷେତ୍ରରେ ପୂର୍ବରୁ ଦେଇଥିବା ଯୁକ୍ତ ଦୁଇ ପରୀକ୍ଷା ନମ୍ବରକୁ ଆଧାର କରି ମୂଲ୍ୟାୟନ କରାଯିବ । ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ । ଏହି ବିକଳ୍ପ ବ୍ୟବସ୍ଥାରେ ଯେଉଁମାନେ ସନ୍ତୁଷ୍ଟ ହେବେନି କରୋନା ପରେ ଚାହିଁଲେ ଅଫଲାଇନ୍ ରେ ପରୀକ୍ଷା ଦେଇପାରିବେ ।
କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ ବିକଳ୍ପ ବ୍ୟବସ୍ଥା ଭାବେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ଇତିମଧ୍ୟରେ ବିଶେଷଜ୍ଞ କମିଟି ତାଙ୍କ ରିପୋର୍ଟ ଦେଇଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ଏହାକୁ ଅନୁମୋଦନ ଦେଇଛନ୍ତି । ସିଏଚଏସଇ ୱେବସାଇଟ୍ ରେ ଏହାର ବିସ୍ତୃତ ସୂଚନା ଦିଆଯାଇଛି ।
ୟୁଜି,ପିଜି: ଅଗଷ୍ଟରେ ପରୀକ୍ଷା, ସେପ୍ଟେମ୍ବରରେ ଫଳ
ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନଲାଇନ୍ ମାଧ୍ୟମରେ ହେବ । ଅଗଷ୍ଟ/ସେପ୍ଟେମ୍ବର ମାସରେ ପରୀକ୍ଷାଫଳ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ଭର୍ଚୁଆଲ୍ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କର ପୂର୍ବ ସେମିଷ୍ଟାର ପରୀକ୍ଷା ଯଦି ବାକି ଥିବ କିମ୍ବା ବ୍ୟାକପେପର୍ ଥିବ, ସେହି ପରୀକ୍ଷା ମଧ୍ୟ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଅନଲାଇନ୍ ରେ ହେବ । ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ ସ୍ୱୟଂଶାସିତ କଲେଜ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଘରୁ କିମ୍ବା ସୁବିଧାଜନକ ସ୍ଥାନରୁ ଏହି ଅନଲାଇନ୍ ରେ ପରୀକ୍ଷା ଦେଇପାରିବେ ।