ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ଏହି ଟିକାକରଣକୁ ନେଇ ସବୁଆଡେ ଉତ୍କଣ୍ଠା ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟିକା ଯୋଜନା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ କଥା ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ପାଇଁ ଟିକା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ୫୦ ରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଆଗାମୀ କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ଯୋଜନା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ।
କେବଳ ସ୍ୱାସ୍ଥ୍ୟକର୍ମୀ, ପରିବାର ସଦସ୍ୟ ନୁହଁନ୍ତି
ଓଡ଼ିଶାରେ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଡାଟା ବେସ୍ ପ୍ରସ୍ତୁତ ହୋଇଛି । ତେବେ କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ସେମାନଙ୍କ ପରିବାର ସଦସ୍ୟଙ୍କୁ ନୁହେଁ । ସାରା ରାଜ୍ୟରେ ୧୬୦ ଟି କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ।
ପ୍ରଥମ ଦିନ ଅର୍ଥାତ୍ ୧୬ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଟୁ-ୱେ’ କମ୍ୟୁନିକେସନ୍ ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ସିଧାସଳଖ ଫିଡବ୍ୟାକ୍ ନେଇପାରିବେ । ଟିକାକରଣର ସୁପରିଚାଳନା ପାଇଁ ଷ୍ଟେଟ୍ ମନିଟରିଂ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଜିଲ୍ଲାସ୍ତରରେ ଟିକାକରଣର ମନିଟରିଂ କରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଟିକାକରଣ ନେଇ ଜନସାଧାରଣଙ୍କ ମଧ୍ୟରେ ଥିବା ବିଭିନ୍ନ ଦ୍ୱନ୍ଦକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୂର କରାଯିବା ସହ ଏଥିପାଇଁ ଟିପସ୍ ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ସେମାନଙ୍କ ପରିବାର ସଦସ୍ୟଙ୍କୁ ବର୍ତ୍ତମାନ ଦେବାର ବ୍ୟବସ୍ଥା ହୋଇନାହିଁ । ସ୍ୱାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଏବଂ ବୟସ୍କଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ଗର୍ଭବତୀମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଟିକା ନେବାରେ ଅସୁବିଧା ନାହିଁ । ତେବେ ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଜଣେ ଟିକା ନେଇପାରିବେ ।
କମ୍ ସମୟରେ ଟିକା ଆସିଥିବାରୁ ତାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କା ଅମୂଳକ । କୋଭିଡ ଟିକା ନିରାପଦ ଓ ଫଳପ୍ରଦ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଟିକା ନେବା ବାଧ୍ୟତାମୂଳକ ହୋଇ ନ ଥିଲେ ମଧ୍ୟ ଟିକା ନେବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି । ତେବେ ଅତି ଗୁରୁତର ରୋଗୀ ଏବଂ ଟିକା ପ୍ରତି ଆଲର୍ଜି ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।