ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୨.୩୭ କୋଟି ଟଙ୍କାର ବୋନସ୍ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି । କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତବର୍ଷ ବୋନସ୍, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୂମି ବିକାଶ ବାବଦରେ ଏହା ଖର୍ଚ୍ଚ ହେବ । କେବଳ ବୋନସ୍ ର ପରିମାଣ ରହିଛି ୫୯.୭୮ କୋଟି ଟଙ୍କା ।
ଏଥିସହ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକର ଆଲୋଚନା ଅନୁଯାୟୀ, କୋଭିଡ୍ ମହାମାରୀ ସମୟରେ ବିଭାଗ ୬୦ ଲକ୍ଷରୁ ଅଧିକ କର୍ମଦିବସ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଏହାଦ୍ୱାରା ୭ ଲକ୍ଷ ୫୪ ହଜାର ୬୩୧ କେନ୍ଦୁପତ୍ର ତୋଳାଳୀ, ୧୮,୨୨୩ ବନ୍ଧେଇ ଶ୍ରମିକ ଏବଂ ୧୬,୫୩୩ ଜଣ ସାମୟିକ କର୍ମଚାରୀ ଉପକୃତ ହୋଇଛନ୍ତି । ୨୦୨୦ ଶସ୍ୟ ବର୍ଷରେ ଏ ବାବଦରେ ୨୫୦ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଡିବିଟି ପୈଠ କରାଯାଇଛି ।
ବୈଠକରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ପାରୁଖ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସେମାନଙ୍କ ମତ ରଖିଥିଲା ବେଳେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) ପ୍ରଭାକର ବେହେରା ବୋର୍ଡର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା ରଖିଥିଲେ । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।